ଅଫଜଲ ଗୁରୁର ଫାଶୀ ଦିବସ: କାଶ୍ମୀର ଅଶାନ୍ତ, ଗୁଳିମାଡ଼ରେ ଜଣେ ମୃତ

ଘାଟିରେ ବନ୍ଦ ହେଲା ଇଣ୍ଟରନେଟ୍‌ ସେବା, ଜେକେଏଲ୍‌ଏଫ୍‌ ବିରୋଧ‌ରେ ଏଫ୍‌ଆଇଆର୍‌ ରୁଜୁ

ଶ୍ରୀନଗର: ଅଫ୍‌ଜଲ ଗୁରୁର ଫାଶୀ ଦିବସକୁ ଦୃଷ୍ଟିରେ ରଖି ଆଜି ଜମ୍ମୁ-କାଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ୨୦୦୧ ସଂସଦ ଆକ୍ରମଣ‌ର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁକୁ ୨୦୧୩ ଫେବ୍ରୁଆରି ୯ରେ ଫାଶୀ ଦିଆଯାଇଥିଲା। ହିଂସା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘାଟିରେ ଆଜି ସକାଳୁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଅଚଳ କରି ଦିଆଯାଇଛି। ଏହି ଅବସରରେ ଜମ୍ମୁ-କାଶ୍ମୀର ମୁକ୍ତି ମୋର୍ଚ୍ଚା (ଜେକେଏଲ୍‌ଏଫ୍‌) ଏବଂ ବିଚ୍ଛିନ୍ନତାବାଦୀମାନେ କାଶ୍ମୀର ବନ୍ଦ ଡାକରା ଦେଇଥିବାରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ପୁଲୱାମାରେ ଆଜି ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ଜଣେ ସ୍ଥାନୀୟ ଠିକାଦାର ନିହତ ହୋଇଛନ୍ତି। ପୁଲୱାମାର ତ୍ରାଲରେ ରହୁଥିବା ଠିକାଦାର ଗୁଲାମନବୀ ମୀର୍‌ (୫୫) ଆଜି ତାଙ୍କ ବାସଭବନ ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ୨ ଜଣ ଆତଙ୍କବାଦୀ ଗୁଳି ମାରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୁଲିସ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଗତ ଅଗଷ୍ଟ ୫ରୁ ଘାଟିରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ତେବେ ଜାନୁଆରି ୨୫ରୁ ଏହା ସ୍ବାଭାବିକ ହୋଇଥିଲା। ମାତ୍ର ଅଫଜଲ ଗୁରୁର ଫାଶୀ ଦିବସକୁ ଦୃଷ୍ଟିରେ ରଖି ଆଜି ପୁଣି ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଜମ୍ମୁ-କାଶ୍ମୀରରେ ନିଷିଦ୍ଧ ଘୋଷିତ ହୋଇଥିବା ଜେକେଏଲ୍‌ଏଫ୍‌ ବିରୋଧରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। କାଶ୍ମୀର ବନ୍ଦ ଡାକରା ଦିଆଯାଇଥିବାରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେହିଭଳି ନ୍ୟାସ୍‌ନାଲ ଲିବରେସନ ଫ୍ରଣ୍ଟର ପ୍ରତିଷ୍ଠାତା ମକ୍‌ବୁଲ ଭଟ୍ଟର ମୃତ୍ୟୁବାର୍ଷିକୀ ପାଇଁ ଆସନ୍ତା ୧୧ରେ ମଧ୍ୟ ଜମ୍ମୁ-କାଶ୍ମୀର ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର