ଶ୍ରୀଲଙ୍କାରେ ହିଂସା ଜାରି : ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ହିଂସା ଜାରି ରହିଛି । ସାରା ଦେଶରେ କର୍ଫ୍ୟୁ ଲଗାଯିବା ସହ ସେନା ମୁତୟନ କରାଯାଇଛି । ଉପଦ୍ରବକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ହିଂସାକାଣ୍ଡରେ ଲିପ୍ତ ଅଛନ୍ତି ଓ ସର୍ବସାଧାରଣ ସଂପତ୍ତି ଲୁଟ କରୁଛନ୍ତି ସେମାନଙ୍କୁ ଗୁଳି କରିବାକୁ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି । ଏହା ସତ୍ତ୍ବେ ଦେଶରେ ବିକ୍ଷୋଭ ଜାରି ରହିଛି । ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବାକୁ ଓ ହିଂସାକାଣ୍ଡରେ ଲିପ୍ତ ନହେବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିବେଦନ କରିଛନ୍ତି । ଏକ ଟୁଇଟ କରି ସେ ଏହି ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ସ୍ବାଧୀନତା ପରର ସବୁଠାରୁ ଖରାପ ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ହିଂସାକାଣ୍ଡ ଯୋଗୁଁ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଥିବାବେଳେ ଆହତଙ୍କ ସଂଖ୍ୟା ୨୦୦ ଟପିଯାଇଛି । ଗତ ସୋମବାରଦିନ ଶାସକ ଦଳ ସମର୍ଥିତ ଶ୍ରୀଲଙ୍କା ପିପୁଲ୍ସ ଫ୍ରଣ୍ଟର ଜଣେ ସାଂସଦ ଅମରକିର୍ତ୍ତୀ ଅତୁକୋରାଲା ଦୁଇଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିଲେ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଆଉ ଜଣେ ସାଂସଦ ଆହତ ହୋଇଛନ୍ତି । ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଲୋକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଘରେ ନିଆଁ ଲଗାଇଦେଇଥିଲେ ।

ସମ୍ବନ୍ଧିତ ଖବର