ମଣିପୁରରେ ସାନି ହିଂସା: ଜଣେ ମୃତ, ଆଉ ଜଣେ ଆହତ

ଶାନ୍ତିରକ୍ଷା ପାଇଁ ପ୍ରୟାସ ଜାରି, ଖୁବ୍‌ଶୀଘ୍ର ମଣିପୁର ଯିବି, ସେଠାରେ ୩ ଦିନ ରହିବି: ଶାହ

ଇମ୍ଫାଲ : ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମଣିପୁରରେ ସାନି ହିଂସା ଦେଖାଯାଇଛି। ଏଥିରେ ଜଣେ ଲୋକର ମୃତ୍ୟୁ ହେବା ସହ ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ସୀମାନ୍ତ ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲ୍ଲାରେ ଘଟିଛି ବୋଲି ଗୁରୁବାର ପୁଲିସ ପ୍ରକାଶ କରିଛି।

ଚୁରାଚାନ୍ଦପୁରରେ ନିକଟରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସା ଘଟିବା ପରେ ବିଷ୍ଣୁପରସ୍ଥିତ ମୋରଙ୍ଗ ରିଲିଫ ଶିବିରରେ ଆଶ୍ରୟ ନେଇଥିବା ଦଳେ ଲୋକଙ୍କ ଉପରେ କିଛି ସନ୍ଦିଗ୍ଧ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏଥିରେ ଜନୈକ ତୋଇଜାମ ଚନ୍ଦ୍ରମଣି (୩୦)ଙ୍କର ବୁଧବାର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଲିଚୋମ୍ବମ୍ ଆବୁଙ୍ଗନାଓ (୨୨) ଆହତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବିଷ୍ଣୁପୁର ଜିଲ୍ଲାର ତୋରୋଙ୍ଗଲାଓବି ଅନ୍ତର୍ଗତ କେତେକ ଗ୍ରାମରେ ଉଗ୍ରବାଦୀମାନେ ନିଆଁ ଲଗାଇଦେଇଥିଲେ। ସେମାନେ ନିକଟସ୍ଥ ଏକ ସ୍କୁଲରେ ମଧ୍ୟ ନିଆଁ ଲଗାଇବାକୁ ଆସୁଛନ୍ତି ଜାଣି ପ୍ରତିରୋଧ କରିବାକୁ ରିଲିଫ ଶିବିରରୁ କିଛି ଲୋକ ବାହାରକୁ ଆସିଥିଲେ। ସେତିକିବେଳେ ଉଗ୍ରବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି। ହିଂସା ପରେ ଉକ୍ତ ଅଞ୍ଚଳରେ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅନ୍ୟ ଅଞ୍ଚଳରେ କର୍ଫ୍ୟୁ କୋହଳ ଅବଧିକୁ ବି ହ୍ରାସ କରାଯାଇଛି।

ଖୁବ୍‌ଶୀଘ୍ର ମଣିପୁର ଯିବି, ସେଠାରେ ୩ ଦିନ ରହିବି: ଶାହ
ଶାନ୍ତିରକ୍ଷା ପାଇଁ ପ୍ରୟାସ ଜାରି
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ସେ ଖୁବ୍‌ଶୀଘ୍ର ମଣିପୁର ଯିବେ ଏବଂ ସେଠାରେ ୩ ଦିନ ରହିବେ। ହିଂସା ପ୍ରବଣ ମଣିପୁର‌ରେ ଶାନ୍ତି ଫେରାଇବାପାଇଁ ଶାହ ମଣିପୁରର ଲୋକମାନଙ୍କ ସହ କଥା ହେବେ ବୋଲି କହିଛନ୍ତି। ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ଶାହ ମଣିପୁର ଯିବେ ବୋଲି ଘୋଷଣା କରିଛନ୍ତି । ମଣିପୁର ହିଂସା ପ୍ରସଙ୍ଗରେ ଶାହ କହିଛନ୍ତି, କୋର୍ଟଙ୍କ ରାୟ ଆସିବାପରେ ମଣିପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ତେଣୁ ଶାନ୍ତି ରକ୍ଷା ପାଇଁ ଶାହ ୨ ଗୋଷ୍ଠୀଙ୍କୁ ଅନୁ‌ରୋଧ କରିବେ। ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି ଶାହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ମଣିପୁରର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଏବଂ ଅଣ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ହିଂସା ପରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ସମଗ୍ର ଉତ୍ତରପୂର୍ବ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ବୁଧବାର ଦିନ ମଣିପୁର ପୂର୍ତ୍ତ ବିଭାଗ ମନ୍ତ୍ରୀ କନ୍ଥୋଜମ ଗୋବିନ୍ଦସଙ୍କ ବିଷ୍ଣୁପୁର ଜିଲ୍ଲା ସ୍ଥିତ ଘର ଉପରେ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର