ନୂଆଦିଲ୍ଲୀ: ଲୋକସଭାରେ ଆଜି କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗା ମାଡ଼’ ବୟାନକୁ ନେଇ ପ୍ରବଳ ହଟ୍ଟଗୋଳ ଓ ଧସ୍ତାଧସ୍ତି ହୋଇଛି। ଆଜି ରାହୁଲ ଗାନ୍ଧି ଦେଶର ସ୍ବାସ୍ଥ୍ୟସେବା ସଂପର୍କରେ ପଚାରିଥିବା ଏକ ପ୍ରଶ୍ନର ଜବାବ ରଖିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗାରେ ଆକ୍ରମଣ’ ବୟାନକୁ ଉଲ୍ଲେଖ କରି ଏହାର ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ରାହୁଲ ଏକ ରୢାଲିରେ କହିଥିଲେ ଯେ ଦେଶରେ ଏବେ ବେକାରୀ ବଢ଼ିଯାଇଛି ଏବଂ ବେକାର ଯୁବକମାନେ ୬/୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ହର୍ଷବର୍ଦ୍ଧନ ରାହୁଲଙ୍କ ପ୍ରଶ୍ନର ଜବାବ ରଖିବା ବେଳେ ଠେଙ୍ଗା ମାଡ଼ ବୟାନକୁ ତାଙ୍କ ନିନ୍ଦା କରି ଏକ ପ୍ରସ୍ତାବ ପଢ଼ିଥିଲେ। ଏହି ସମୟରେ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ହର୍ଷବର୍ଦ୍ଧନଙ୍କ ଆସନ ନିକଟରେ ପହଞ୍ଚି ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ଦେଖି ବିଜେପି ସାଂସଦମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ଏବଂ କଂଗ୍ରେସ ସାଂସଦ ମାଣିକମ୍ଙ୍କୁ ଧରି ନେଇଥିଲେ । ଏହି ସମୟରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏହାପରେ ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ। ଲୋକସଭାରେ ଏଭଳି ହଟ୍ଟଗୋଳ ପରେ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କଂଗ୍ରେସ ସାଂସଦ ମୋ ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମାଣିକମ୍ ଠାଗୋରଙ୍କୁ ସମର୍ଥନ କରି କହିଛନ୍ତି ଯେ ସେ କାହାକୁ ଆକ୍ରମଣ କରିନାହାନ୍ତି।
ରାହୁଲଙ୍କ ‘ଠେଙ୍ଗା ମାଡ଼’ ବୟାନ, ଲୋକସଭାରେ ଧସ୍ତାଧସ୍ତି
/sambad/media/post_attachments/wp-content/uploads/2020/02/dghd4h4dh564dh64d65h4df65h4fd56h4d65fhdfhdfhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)