ନୂଆଦିଲ୍ଲୀ: ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନ୍ସିଏସ୍ସି) ମୁଖ୍ୟ ଅରୁଣ ହାଲଦାର ଶୁକ୍ରବାର କହିଛନ୍ତି ଯେ ସନ୍ଦେଶଖାଲିରେ ଟିଏମ୍ସି ସମର୍ଥକଙ୍କ ଦ୍ୱାରା ବହୁ ସଂଖ୍ୟାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆୟୋଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରାଯାଇଛି। ଟିଏମ୍ସି ନେତା ଶାହଜାହାନ ଶେଖ୍ ଏବଂ ତାଙ୍କ ସମର୍ଥକମାନେ ବଳପୂର୍ବକ ଲୋକଙ୍କ ଜମି ଦଖଲ କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ମିଳିଛି। ବହୁ ସଂଖ୍ୟକ ମହିଳା ସାମ୍ନାକୁ ଆସି ସେମାନଙ୍କ ଉପରେ ହୋଇଥିବା ବର୍ବର ଅତ୍ୟାଚାର ସଂପର୍କରେ କହିଛନ୍ତି। ଏନସିଏସସିର ଏକ ପ୍ରତିନିଧି ଦଳ ଗୁରୁବାର ସନ୍ଦେଶଖାଲି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ହାଲଦାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସନ୍ଦେଶଖାଲିରେ ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଏବଂ ହିଂସା ଅତି ଭୟାନକ।
ପଶ୍ଚିମବଙ୍ଗରେ ଅନୁସୂଚିତ ଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଧାରା ୩୩୮ ଅନୁଯାୟୀ ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆମେ ସୁପାରିସ କରିଛୁ ବୋଲି ହାଲଦାର କହିଛନ୍ତି। ରାଷ୍ଟ୍ରପତି ଆୟୋଗକୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଏହି ମାମଲାର ଅନୁଧ୍ୟାନ କରିବେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ହାଲଦାର କହିଛନ୍ତି ଯେ ରାଜ୍ୟ ସରକାର ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇ ସେମାନଙ୍କୁ ଏହି ଅଞ୍ଚଳକୁ ଯିବାରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । ସମସ୍ତ ଅସହଯୋଗ ଭିତରେ ବି ଆୟୋଗ ପୀଡ଼ିତ ପରିବାର ନିକଟରେ ପହଞ୍ଚି ସେମାନଙ୍କ ବୟାନ ରେକର୍ଡ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।