ମନ୍ଦିର ଚାନ୍ଦା ନଁାରେ ହିଂସା: ଗୁଜରାଟରେ ୪୦ ଗିରଫ

ନୂଆଦିଲ୍ଲୀ : ଗୁଜରାଟର କଚ୍ଛ ଜିଲ୍ଲାରେ ଗତ ରବିବାର ଏକ ହିଂସାକାଣ୍ଡ ହୋଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଏକ‌ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାରେ ୩ ଟି ମାମଲା ରୁଜୁ ହୋଇଛି ଏବଂ ପ୍ରାୟ ୪୦ ଜଣ ଗିରଫ ହୋଇଛନ୍ତି। ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ଦ୍ବାରା ପରିଚାଳିତ ଶୋଭାଯାତ୍ରାରେ ଉଚ୍ଚ ଶବ୍ଦରେ ଯେଉଁ ଧାର୍ମିକ ସ୍ଲୋଗାନ୍‌ ଦିଆଯାଇଥିଲା ତାହା ଅନ୍ୟ ସମ୍ପ୍ରଦାୟକୁ ଉତ୍ତେଜିତ କରିଥିଲା।

ଫଳରେ ସାଂଘାତିକ ହିଂସା ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା। ଶୋଭାଯାତ୍ରା ପରେ ସଂଘର୍ଷ ସ୍ଥଳରୁ ୨୦୦ ମିଟର ଦୂରରେ ଝାଡ଼ଖଣ୍ଡର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ପଡ଼ିଥିଲା। ତେବେ କେବଳ ଗୁଜରାଟ ନୁହେଁ ମଧ୍ୟପ୍ରଦେଶର ଇନ୍ଦୋର, ଉଜ୍ଜୟିନୀ ଏବଂ ମନ୍ଦୋସର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ନଜିର ରହିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଗତକାଲି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ସେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଦେବା ସହ ମୋଦୀଙ୍କ ପାଖକୁ ଏକ ଚିଠି ଲେଖି ପାଣ୍ଠି ସଂଗ୍ରହ ସମୟରେ ହିଂସା ଭଳି ଘଟଣା ନଘଟିବା ଉଚିତ୍‌ ବୋଲି କହିଥିଲେ।

ସମ୍ବନ୍ଧିତ ଖବର