ବଢ଼ିଲା ଆନ୍ଦୋଳନ ଅଡ଼ୁଆ : ଲାଲ୍‌କିଲ୍ଲାରେ ତାଣ୍ଡବ, ଚାଷୀ ନେତାଙ୍କ ବିରୋଧରେ ଏତଲା

୨୨ଟି ମାମଲା, ୧୯ ଗିରଫ, ୨୦୦ ଅଟକ
ଆନ୍ଦୋଳନରେ ଫାଟ, ଓହରିଲେ ୨ ସଂଗଠନ
ସ୍ଥଗିତ ରହିଲା ୧ ତାରିଖ ସଂସଦ ମାର୍ଚ
ସରକାରଙ୍କୁ ଘେରିଲେ ବିରୋଧୀ ଦଳ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ଗତକାଲି ହଠାତ୍ ହିଂସାର ରୂପ ନେଇଥିଲା। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଦିଲ୍ଲୀରେ ପୁଲିସ ବ୍ୟାରି‌େକଡ୍ ଭାଙ୍ଗି ଲାଲକିଲ୍ଲା ଭିତରକୁ ଟ୍ରାକ୍ଟର ଧରି ଧ‌େସଇ ପଶିଯାଇଥିଲେ। କେବେଳ ସେତିକି ନୂହେଁ ସେମାନେ ପ୍ରାଚିର ଉପରେ ଚଢ଼ି ଧାର୍ମିକ ପତାକା ଉଡ଼ାଇଥିଲେ। ସାରା ଦେଶରେ ପବିତ୍ର ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କ ଏଭଳି ତାଣ୍ଡବକୁ ନେଇ ଉଦବେଗ ପ୍ରକାଶ ପାଇଛି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ସରକାର ଉପଦ୍ରବକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ଏହି ମାମଲାରେ ପୁଲିସ ୨୨ଟି ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଯାଇଥିବ‌ା ବେଳେ ୨ ଶହରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୬ ଜଣ ଚାଷୀ ନେତାଙ୍କ ବିରୋଧରେ ବୁଧବାର ଅପରାହ୍ନରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି।

ତେବେ ଏହି ହିଂସାକୁ ନେଇ ଉଭୟ ଆନ୍ଦୋଳନକାରୀ ଏବଂ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବେ ଆଉ ନେତାମାନଙ୍କ ନିୟନ୍ତ୍ରଣରେ ରହିନାହିଁ। କେତେକ ଉଗ୍ର ନେତା ଏହି ଆନ୍ଦୋଳନକୁ ନିଜ ଅକ୍ତିଆରକୁ ନେଇଯାଇଥିବା କୁହାଯାଉଛି। ଏହି କାରଣରୁ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ଦୁଇଟି ସଂଗଠନ ଏହି ଆନ୍ଦୋଳନରୁ ଓହରିଯାଇଛନ୍ତି। ପରିସ୍ଥିତି ଜଟିଳ ହେଉଥିବା ଦେଖି ଚାଷୀ ନେତାମାନେ ଆସନ୍ତା ଫେବ୍ରୁଆରି ୧ ତାରିଖରେ ହେବାକୁ ଥିବା ସଂସଦ ମାର୍ଚ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ୨୬ ତାରିଖ ହିଂସା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବ‌ା ଆନ୍ଦୋଳନକାରୀ ନେତାମାନେ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି। ସେମାନେ ଏହି ହିଂସା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ହିଂସ‌ା ପାଇଁ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ଏକ୍ଷେତ୍ରରେ ଗୁଇନ୍ଦା ବିଭାଗ କେମିତି ଫେଲ୍ ମାରିଲା ଏବଂ ପୁଲିସ କାହିଁକି ଅଟକାଇପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ସାଧାରଣତନ୍ତ୍ର ଦିବସରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରୢାଲି ପାଇଁ ପୁଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କୁ ଅନୁମତି ଦେଇଥିଲା। କିନ୍ତୁ ଅପ୍ରତ୍ୟାଶିତ ହିଂସା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଟ୍ରାକ୍ଟର ରାଲିରେ ଆସିଥିବା ଆନ୍ଦୋଳନକାରୀମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ପୁଲିସ ଅଟକାଇବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ସମୟରେ ଟିୟର୍‌ ଗ୍ୟାସ୍‌ ସେଲ୍‌ ବାଜିବା ପରେ ଟ୍ରାକ୍ଟର ଚଳାଉଥିବା ଜଣେ ଚାଷୀ ନିୟନ୍ତ୍ରଣ ହରାଇଥିଲେ ଏବଂ ଟ୍ରାକ୍ଟର ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀମାନେ ସରକାରୀ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ଏବଂ ଏଥିରୁ ସାଧାରଣ ଲୋକ ବି ବାଦ୍‌ ପଡ଼ିନାହାନ୍ତି। ଏହାପରେ ସେମାନେ ଲାଲକିଲ୍ଲାରେ ପଶି ଶିଖ୍‌ ସଂପ୍ରଦାୟର ଧାର୍ମିକ ପତାକା (ନିଶାନ୍‌ ସାହିବ) ଉଡ଼ାଇଥିଲେ। ଏହାପରେ ପୁଲିସ ସେମାନଙ୍କୁ ଘଉଡ଼ାଇଦେଇଥିଲା।

ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ଉପଦ୍ରବକାରୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବି ଉପଦ୍ରବକାରୀ ଯେଭଳି ଛାଡ଼ ପାଇବେ ନାହିଁ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ଏବେ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି।

ଏହି ମାମଲାରେ ପୁଲିସ ୨୨ଟି ଏଫ୍‌ଆଇଆର୍‌ ରୁଜୁ କରିଛି ଏବଂ ୨ ଶହରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୬ ଜଣ ଚାଷୀ ନେତାଙ୍କ ବିରୋଧରେ ବୁଧବାର ଅପରାହ୍ନରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ଦୁଇ ଜଣ ‌ଚାଷୀ ନେତା ଭାଷଣ ଦେଇ ଉସୁକାଇଥିଲେ। ହିଂସା ଯୋଗୁଁ ୩୯୦ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପ୍ରାୟ ୩୦ଟି ଗାଡ଼ିକୁ ଉପଦ୍ରବୀମାନେ ଭାଙ୍ଗି ଦେଇଛନ୍ତି।

କେନ୍ଦ୍ର ଗୃହ ସଚିବ, ଦିଲ୍ଲୀ ପୁଲିସ କମିସନର, ଗୁଇନ୍ଦା ବିଭାଗ ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ଦିଲ୍ଲୀର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ସମସ୍ତ ସମ୍ବେଦଳନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଆହତ ପୁଲିସ କର୍ମୀମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲାଲ୍‌ କିଲ୍ଲା ଉପରେ ଏବେ ଡ୍ରୋନ୍‌ ସହାୟତାରେ ନଜର ରଖାଯାଇଥିବା ବେଳେ ସିସିଟିଭି ମାଧ୍ୟମରେ ଉପଦ୍ରବକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସିଂଘୁ ସୀମାରେ ମଧ୍ୟ ବଡ଼ ଧରଣର ଯାଞ୍ଚ ଅଭିଯାନ ଜାରି ରହିଛି।

ଅନ୍ୟପକ୍ଷରେ ହିଂସାକୁ ନେଇ ଚାଷୀ ଆନ୍ଦୋଳନରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ‘ରାଷ୍ଟ୍ରୀୟ କିଷାନ୍‌ ମଜ୍‌ଦୁର ସଂଗଠନ’ ଏବଂ ଏବଂ ‘ଅଖିଳ ଭାରତୀୟ କିଷାନ୍‌ ସଂଘର୍ଷ ସମନ୍ବୟ କମିଟି’ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ସରକାର ଆଇନ ଶୃଙ୍ଖଳା ରକ୍ଷା ଦିଗରେ ବିଫଳ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର