ନ୍ୟୁୟର୍କ: ନ୍ୟୁୟର୍କ ପ୍ରଦେଶର ବଫେଲୋ ସହରର ଏକ ସୁପର୍ମାର୍କେଟରେ ଶନିବାର ଜଣେ ୧୮ ବର୍ଷୀୟ ଯୁବକର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀ କୋଙ୍କ୍ଲିନ୍ ଅଂଚଳର ପେଟୋନ୍ ଗେଂଡ୍ରୋନ୍ ବୋଲି ପୁଲିସ ଚିହ୍ନଟ କରିଛି ଏବଂ ଏହି ଆକ୍ରମଣ ଏକ ରଙ୍ଗଭେଦ ହିଂସା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣକାରୀ କୃଷ୍ଣକାୟମାନଙ୍କୁ ଟାର୍ଗେଟ୍ କରି ଗୁଳି କରିଥିଲା। ୧୩ ଜଣ ଗୁଳିମାଡ଼ର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଅଶ୍ବେତ ମଧ୍ୟ ଅଛନ୍ତି। ଆକ୍ରମଣକାରୀ କୃଷ୍ଣକାୟମାନଙ୍କୁ ଟାର୍ଗେଟ୍ କରି ଏକ ଉଚ୍ଚସ୍ଥାନରେ ହଠାତ୍ ପୋଜିସନ୍ ନେଇଥିଲା ଏବଂ ଗୁଳିମାଡ଼ ଆରମ୍ଭ କରିଦେଇଥିଲା। ମଲ୍ ଭିତରେ ଏଭଳି ରଙ୍ଗଭେଦ ହିଂସାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆମେରିକାର ବିଭିନ୍ନ ଅଞ୍ଚଳରେ ଏହାଦ୍ବାରା ରଙ୍ଗଭେଦ ହିଂସା ବ୍ୟାପିବ ବୋଲି ଆଶଙ୍କା କରାଯାଉଛି ।
ଘୃଣା ହିଂସାର ପ୍ରସାର ପାଇଁ ଏଭଳି ଘଟଣା ଏକ ଯୋଜନାବଦ୍ଧ ପ୍ରୟାସ ବୋଲି ମେୟର ବାୟରନ୍ ବ୍ରାଉନ୍ କହିଛନ୍ତି। ବନ୍ଧୁକଧାରୀ ସୁପର୍ମାର୍କେଟ୍ ଗୁଳିକାଣ୍ଡର ପୂରା ଘଟଣା ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିଥିଲା। ସେ ପିନ୍ଧିଥିବା ହେଲ୍ମେଟରେ ଏକ କ୍ୟାମେରା ଲାଗିଥିଲା। ଗୋଟିଏ ପର୍ଯ୍ୟାୟରେ ଆଖିବୁଜା ଗୁଳିମାଡ଼ ପରେ ହଠାତ ଆକ୍ରମଣକାରୀ ଏକ ଦୋକାନ ଭିତରେ ପଶି କିଛି ଲୋକଙ୍କୁ ପାର୍କିଂ ସ୍ଥଳକୁ ଟାଣି ନେଇ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଆକ୍ରମଣକାରୀ ଏବଂ ପୁଲିସ ବାହିନୀ ମଧ୍ୟରେ ବି କିଛି ସମୟ ଗୁଳି ବିନିମୟ ମଧ୍ୟ ହୋଇଥିଲା। ତେବେ ପୁଲିସ ଆକ୍ରମଣକାରୀକୁ ଆତ୍ମସମର୍ପଣ ପାଇଁ କହିବା ପରେ ସେ ଆତ୍ମସମର୍ପଣ କରିଥିଲା। ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/gdjgdjgdjgdj5156161g65gjgjgj.jpg)