ପଞ୍ଚାୟତ ନିର୍ବାଚନ ବେଳେ ହିଂସା: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ୧୮ ମୃତ

ଟିଏମ୍‌ସିର ୮, ସିପିଏମ୍‌ର ୩, ବିଜେପିର ‌ଜଣେ କର୍ମୀ ନିହତ, ବିଭିନ୍ନ ସ୍ଥାନରେ ବୁଥ୍‌ ଜବରଦଖଲ, ବାଲଟ ବକ୍ସ ଲୁଟିଲେ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମ୍‌ସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି। ଅନ୍ୟ ଜଣେ ମୃତକଙ୍କ ବିଷୟରେ କିଛି ଜଣାପଡ଼ିନି। ୩ ଟିଏମ୍‌ସି ସଦସ୍ୟ ଏବଂ ଜଣେ କଂଗ୍ରେସ କର୍ମୀଙ୍କୁ ମୁର୍ଶିଦାବାଦ ଜିଲ୍ଲାରେ ହତ୍ୟା କରାଯାଇଥିବା ବେଳେ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କର୍ମୀଙ୍କୁ କୁଚ ବିହାରରେ ହତ୍ୟା କରାଯାଇଛି। କୁଚ ବିହାରରେ ମଧ୍ୟ ଜଣେ ଟିଏମ୍‌ସି ବୁଥ୍‌ କମିଟି ସଭାପତିଙ୍କୁ ଗତରାତିରେ ଛୁରି ଭୁସି ହତ୍ୟା କରାଯାଇଛି। ୨ ସିପିଆଇ(ଏମ୍‌) କର୍ମୀ ଏବଂ ଜଣେ ଟିଏମ୍‌ସି କର୍ମୀଙ୍କୁ ପୂର୍ବ ବର୍ଦ୍ଧମାନରେ ହତ୍ୟା କରାଯାଇଛି। ମାଲଦାରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଦକ୍ଷିଣ ୨୪ ପ୍ରଗଣାରେ ଅନ୍ୟ ଜଣେ ଟିଏମ୍‌ସି କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହିପରି ମାଲଦାରେ ଜଣେ ଟିଏମ୍‌ସି ନେତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ବିଜେପି ନେତା ଅଜୟ ରାୟ କହିଛନ୍ତି, କୁଚ ବିହାରରେ ଟିଏମ୍‌ସି କର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ମୁର୍ଶିଦାବାଦ, କୁଚବିହାର, ମାଲଦା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଜପୁର ଏବଂ ନଦିଆରେ ଆଜି ବ୍ୟାପକ ହିଂସା ହୋଇଛି। ହିଂସା ଯୋଗୁଁ ମୁର୍ଶିଦାବାଦ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକରେ ବୁଥ୍‌ ଜବରଦଖଲ ସହ ବାଲଟ୍‌ ବକ୍ସ ଜାଳି ଦିଆଯାଇଛି। କେତେକ ସ୍ଥାନରେ ବାଲଟ୍‌ ବକ୍ସ ଉଠାଇ ନେଇ ପାଣିରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିସହ ନିର୍ବାଚନ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି।

ଶନିବାର ସକାଳ ୭ଟାରେ ରାଜ୍ୟର ଗ୍ରାମାଞ୍ଚଳରେ ମୋଟ୍‌ ୭୩,୮୮୭ ଆସନରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୬୮.୨୮ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମ ମେଦିନୀପୁରରେ ସନ୍ଧ୍ୟା ୫ଟା ସୁଦ୍ଧା ସର୍ବାଧିକ ୭୯.୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଶାସକ ଟିଏମ୍‌ସି ଜିଲ୍ଲା ପରିଷଦର ସମସ୍ତ ୯୨୮ ଆସନ, ପଞ୍ଚାୟତ ସମିତିରେ ୯,୪୧୯ ଆସନ, ଗ୍ରାମ ପଞ୍ଚାୟତରେ ୬୧,୫୯୧ ଆସନରେ ନିର୍ବାଚନ ଲଢ଼ୁଛି। ବିଜେପି ୮୯୭ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୭,୦୩୨ ପଞ୍ଚାୟତ ସମିତି ଆସନ ଏବଂ ଗ୍ରାମ ପଞ୍ଚାୟତର ୩୮,୪୭୫ ଆସନରେ ପ୍ରାର୍ଥୀ ଦେଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲେ ସୁଦ୍ଧା ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ରକ୍ତପାତ ହୋଇଛି।

ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଶନିବାର ଦିନ ହିଂସା ସଂକ୍ରାନ୍ତରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟରେ ଉପୁଜିଥିବା ହିଂସାରେ ହସ୍ତକ୍ଷେପ ପାଇଁ ରାଜ୍ୟ ବିଜେପି ସଭାପତି ମଜୁମଦାର ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଚିଠି ଲେଖିଛନ୍ତି। ଅନ୍ୟପକ୍ଷେ ଟିଏମ୍‌ସି ହିଂସା ପାଇଁ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ବର୍ଷିଛି। ଦଳ କହିଛି, ନିର୍ବାଚନ ପାଇଁ ଆସିଥିବା କେନ୍ଦ୍ରୀୟ ବାହିନୀ ଗାଏବ ହୋଇଗଲେ। ପଞ୍ଚାୟତ ନିର୍ବାଚନ ହିଂସା ପାଇଁ ଟିଏମ୍‌ସି ବିରୋଧୀ ଦଳଗୁଡ଼ିକୁ ଦାୟୀ କରିଛି। ହିଂସାରେ ରାଜ୍ୟପାଳ ବି ସାମିଲ ବୋଲି ଟିଏମ୍‌ସି କହିଛି।
ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଏବଂ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଆଜି ରାଜ୍ୟ ନିର୍ବାଚନ କମିସନରଙ୍କ ଅଫିସ ତାଲା ପକାଇବାକୁ ଉଦ୍ୟମ କରିଥିବାବେଳେ ତାଙ୍କୁ ପୁଲିସ ଅଟକାଇଥିଲା। ଅନ୍ୟପକ୍ଷେ ଶନିବାର ଦିନ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହିଂସାଗ୍ରସ୍ତ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିଥିଲେ ଏବଂ ହିଂସା‌ରେ ଆହତ ହୋଇଥିବା ଲୋକଙ୍କୁ ଭେଟିଥିଲେ। ରାଜ୍ୟପାଳ ଭୋଟର୍‌ଙ୍କ ସହ ମଧ୍ୟ କଥା ହୋଇଥିଲେ।

ସମ୍ବନ୍ଧିତ ଖବର