କୋଲକାତା: ପଶ୍ଚିମବଙ୍ଗରେ ଆଜି ଶେଷ ପର୍ଯ୍ୟାୟରେ ୯ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ମତଦାନ ସମୟରେ ବିଭିନ୍ନ ଅଞ୍ଚଳରେ ହିଂସା ଏବଂ ଉତ୍ତେଜନା ଦେଖାଦେଇଛି। ଯାଦବପୁର ନିର୍ବାଚନମଣ୍ଡଳୀ ସତୁଲିୟା ଅଞ୍ଚଳରେ ବ୍ୟାପକ ହିଂସା ଉପୁଜିଛି। ଆଇଏସ୍‌ଏଫ୍‌ (ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ୍‌) ଏବଂ ସିପିଆଇ(ଏମ୍‌) ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଅନେକ ଆଇଏସ୍‌ଏଫ୍‌ ସଦସ୍ୟ ଆହତ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାର କୁଲତାଲିରେ କିଛି ବିଶୃଙ୍ଖଳ ଜନତା ଏକ ଭୋଟିଂ ବୁଥ୍‌ରୁ ଇଭିଏମ୍‌ ମେସିନ୍‌ ନେଇ ଏହାକୁ ନିକଟସ୍ଥ ପୋଖରୀକୁ ଫୋପାଡ଼ି ଦେଇଛନ୍ତି। କିଛି ପୋଲିଂ ପ୍ରତିନିଧିଙ୍କୁ ବୁଥ୍‌ ଭିତରକୁ ଯିବାକୁ ଦିଆନଯିବାରୁ ଏଭଳି ଉତ୍ତେଜନା ଦେଖାଦେଇଛି। କିଛି ସ୍ଥାନୀୟ ଲୋକ ଇଭିଏମ୍‌ ଏବଂ ଭିଭିପାଟ୍‌ ମେସିନ୍‌ ନେଇ ପୋଖରୀକୁ ଫିଙ୍ଗି ଦେବା ସହ ପ୍ରତିବାଦ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

Advertisment

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଆଜି ସକାଳ ୬.୪୦ ସମୟରେ ୧୯-ଜୟନଗର (ଏସ୍‌ସି) ପିସିର ବେଣିମାଧବପୁର ସ୍କୁଲ୍‌ ନିକଟସ୍ଥ ସେକ୍ଟର ଅଫିସରୁ ସଂରକ୍ଷିତ ଥିବା ଇଭିଏମ୍‌ ଏବଂ ଭିଭିପାଟ୍‌ ମେସିନ୍‌କୁ କିଛି ବିଶୃଙ୍ଖଳ ଜନତା ନେଇ ଫୋପାଡ଼ି ଦେଇଥିଲେ। ସେକ୍ଟର ଅଫିସରଙ୍କ ଦ୍ବାରା ଉକ୍ତ ଘଟଣାରେ ଏତଲା ରୁଜୁ ହୋଇଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତେବେ ଏହି ସେକ୍ଟରରେ ଆସୁଥିବା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ବୋଲି କମିସନ କହିଛନ୍ତି। ସେହିପରି ବସିରହାଟ ଲୋକସଭା ଅଧୀନରେ ଆସୁଥିବା ସନ୍ଦେଶଖାଲିରେ ଶୁକ୍ରବାର ରାତିରେ ବିଶୃଙ୍ଖଳା ଦେଖାଦେଇଛି। କେତେକ ସ୍ଥାନରେ ବୋମାମାଡ଼ ଓ ଗୋଷ୍ଠୀ ସଂଘର୍ଷ ହୋଇଥିବା ରିପୋର୍ଟ ମିଳିଛି। ସ୍ଥାନୀୟ ମହିଳାମାନେ ଟିଏମ୍‌ସି କାର୍ଯ୍ୟକର୍ତ୍ତା ଏବଂ ରାଜ୍ୟ ପୁଲିସ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ କରି ଆନ୍ଦୋଳନ କରିଥିଲେ। ଡାଇମଣ୍ଡ୍‌ ହାର୍‌ବର୍‌ରେ ଆଜି ଟିଏମ୍‌ସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି।

ଟିଏମ୍‌ସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଗଡ଼ ହେଉଛି ଡାଇମଣ୍ଡ ହାର୍‌ବର୍‌ରେ ମଧ୍ୟ ହିଂସା ହୋଇଛି। ଯାଦବପୁରରେ ସିପିଏମ୍‌ କର୍ମୀ ଏବଂ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି ଏବଂ ସେମାନଙ୍କ କ୍ୟାମ୍ପ୍‌ ଅଫିସ ଭଙ୍ଗାରୁଜା କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାନିଂରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। ଏଠାରେ ଟିଏମ୍‌ସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଉକ୍ତ ଅଞ୍ଚଳରେ ପଥର ମାଡ଼ ହୋଇଥିବା ନେଇ ଖବର ମିଳିଛି।