ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧ ମାସେ ପୂରିବାକୁ ବସିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ଏହା ଗାଜା ସହରକୁ ଘେରାଉ କରି ଏହାକୁ ଦୁଇ ଭାଗରେ ବିଭକ୍ତ କରିଛି। ସେପଟେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ଇରାକ ଗସ୍ତ କରିଛନ୍ତି। ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗାଜାରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ଅତି କମ୍‌ରେ ୯,୭୭୦ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଇତିହାସର ସବୁଠାରୁ ଭୟଙ୍କର ଆକ୍ରମଣରେ ଆତଙ୍କବାଦୀମାନେ ୧୪୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବା ସହ ୨୪୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା।

Advertisment

ଗାଜା ସହର ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି ରିୟର ଆଡମିରାଲ ଡାନିଏଲ ହାଗାରି କହିଛନ୍ତି। ସେ କହିଛନ୍ତି ଯେ ରବିବାର ଗାଜାରେ ଇସ୍ରାଏଲ ପକ୍ଷରୁ ଅଭୂତପୂର୍ବ ବୋମାମାଡ଼ କରାଯାଇଥିଲା। ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଗାଜା ଆଜି ଉତ୍ତର ଗାଜା ଓ ଦକ୍ଷିଣ ଗାଜାରେ ବିଭକ୍ତ ହୋଇଛି। ଇସ୍ରାଏଲ ଗଣମାଧ୍ୟମ କହିଛି ଯେ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ସୈନିକମାନେ ଗାଜା ସିଟିରେ ପ୍ରବେଶ କରିବେ ବୋଲି ଆଶା କରାଯାଉଥିବା ବେଳେ ରାତିରେ ଉତ୍ତର ଗାଜାରେ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଯୁଦ୍ଧ ଆରମ୍ଭ ହେବା ପରେ ରବିବାର ତୃତୀୟ ଥର ପାଇଁ ଗାଜାରେ ସମସ୍ତ ଯୋଗାଯୋଗ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଢ଼ୁଥିବା ଆହ୍ୱାନକୁ ଇସ୍ରାଏଲ ପୁଣି ଥରେ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହାର ସେନା ଗାଜା ସିଟିକୁ ସଫଳତାର ସହ ଘେରିଛି। ବ୍ଲିଙ୍କେନ୍ ପଡ଼ୋଶୀ ଲେବାନନରେ ଆହୁରି ଉତ୍ତେଜନା ସୃଷ୍ଟି ଆଶଙ୍କାର ମୁକାବିଲା ପାଇଁ ପ୍ରୟାସ କରୁଥିବା ବେଳେ ଏହି ଘଟଣା ଘଟିଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନିଜର କୂଟନୈତିକ ପ୍ରୟାସରେ ରବିବାର ଅଧିକୃତ ୱେଷ୍ଟବ୍ୟାଙ୍କକୁ ଯାଇଥିଲେ। ସେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ସାକ୍ଷାତ କରି ତାଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଥିଲେ ଯେ ବାଇଡେନ୍ ପ୍ରଶାସନ ଗାଜାର ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରୟାସକୁ ଜୋରଦାର କରୁଛି। ସଂଘର୍ଷ ପରେ ସେମାନଙ୍କ ଅଞ୍ଚଳ ପାଇଁ ଯାହା ବି ଆସିବ ସେଥିରେ ପାଲେଷ୍ଟାଇନର ମୁଖ୍ୟ ଭୂମିକା ରହିବା ଉଚିତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଇରାକ ଓ ଅନ୍ୟାନ୍ୟ ସ୍ଥାନରେ ଇରାନ ସମର୍ଥିତ ମିଲିସିଆଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ଏହି ଅଞ୍ଚଳରେ ଆମେରିକୀୟ ସୈନ୍ୟଙ୍କ ଚିନ୍ତା ବଢ଼ୁଥିବା ବେଳେ ବ୍ଲିଙ୍କେନ୍ ପରେ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍ ସୁଦାନୀଙ୍କ ସହ ଆଲୋଚନା ପାଇଁ ବାଗଦାଦ ଯାଇଥିଲେ। ବ୍ଲିଙ୍କେନ୍ ବାଗଦାଦରୁ ତୁର୍କୀ ଯାତ୍ରା କରିଥିଲେ।ଗାଜାର ମାଘାଜି ଶରଣାର୍ଥୀ ଶିବିରରେ ଇସ୍ରାଏଲ ସେନା ଦ୍ବାରା ରାତିସାରା ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ହାମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।