ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଉତ୍ତେଜନା

ନୂଆଦିଲ୍ଲୀ : ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି ।

ଗୁଜରାଟର ଭଦୋଦରାରେ ରାମ ନବମୀ ଶୋଭା ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ସହରରେ ରାମନବମୀ ଶୋଭାଯାତ୍ରା ଯାଉଥିବା ସମୟରେ ପଥର ମାଡ଼ ହୋଇଥିଲା, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି ଏବଂ ବର୍ତ୍ତମାନ ପାଇଁ ଏଠାରେ ଶାନ୍ତି ବଜାୟ ରହିଛି ବୋଲି ପୁଲିସ କହିଛି । ଅନ୍ୟ ଏକ ସ୍ଥାନ ଫତେପୁରରେ ମଧ୍ୟ ସଂଘର୍ଷ ହୋଇଥିବା କୁହାଯାଉଛି ।

ସେହିପରି ମମତା ବାନାର୍ଜୀଙ୍କ ପ୍ରଶାସିତ ପଶ୍ଚିମବଙ୍ଗରୁ ମଧ୍ୟ ସମାନ ଖବର ଆସିଛି । ହାଓ୍ବଡ଼ାର ଶିବପୁରୀରେ ରାମ ନବମୀ ଶୋଭାଯାତ୍ରା ଯାଉଥିବାବେଳେ ତାଉପରକୁ କିଛି ଲୋକ ପଥର ଫିଙ୍ଗିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଉତ୍ୟକ୍ତ ଲୋକେ ରାସ୍ତାରେ ଥିବା ଗାଡ଼ି ଜଳାପୋଡ଼ା କରିଥିଲେ ।

ସେହିପରି ଅପରାହ୍ନରେ ମହାରାଷ୍ଟ୍ରର ସମ୍ଭାଜୀନଗରରେ ମଧ୍ୟ ରାମନବମୀକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଏହା ପୂର୍ବରୁ ଗତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, କିଛି ଲୋକ ଅଧଡଜନ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ତେବେ ଗୁରୁବାର ସକାଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ଲୋକଙ୍କୁ ସଂଯମ ରହିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର