ଫେସ୍‌ବୁକ୍ ପୋଷ୍ଟକୁ ନେଇ ହିଂସା: ବାଂଲାଦେଶରେ ମନ୍ଦିର ଓ ଘରଦ୍ବାର ଭଙ୍ଗାରୁଜା

ଢାକା : ବାଂଲାଦେଶର ନଡ଼ାଇଲ ଜିଲ୍ଲାରେ ଏକ ଫେସ୍‌ବୁକ୍ ପୋଷ୍ଟକୁ ନେଇ ଉତ୍ତ୍ୟକ୍ତ ଜନତା ହିନ୍ଦୁମାନଙ୍କର ମନ୍ଦିର, ଦୋକାନବଜାର ଓ ଘରଦ୍ବାର ଭଙ୍ଗାରୁଜା କରିଛନ୍ତି। ଶୁକ୍ରବାର ପ୍ରାର୍ଥନା ପରେ ସନ୍ଧ୍ୟା ସମୟରେ ମୁସଲମାନମାନେ ଦଳବଦ୍ଧଭାବରେ ଘର ଓ ମନ୍ଦିର ଆଦି ଉପରେ ଆକ୍ରମଣ କରିଥିଲେ। ଦିଘାଲିଆ ଉପଜିଲାରେ ଏହି ହିଂସାକାଣ୍ଡ ଘଟିଥିଲା। ଢାକା ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ ଜଣେ ବାଳକ ମୁସଲମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ପୋଷ୍ଟ ଫେସ୍‌ବୁକ୍‌ରେ ଛାଡ଼ିଥିଲା। ଏହାକୁ ପଢ଼ିବା ପରେ କିଛି ଚରମପନ୍ଥୀ ହିଂସା ଯୋଜନା କରିଥିଲେ। ସେମାନେ ନିକଟସ୍ଥ ସାହାପଡ଼ା ମନ୍ଦିର ଭଙ୍ଗାରୁଜା କରିଥିଲେ। ଘରଦ୍ବାର ଓ ଦୋକାନବଜାର ବି ଭଙ୍ଗାରୁଜା କରିଥିଲେ।

ଲୋହାଗଡ଼ ପୁଲିସ ଇନ୍ସପେକ୍ଟର ଏଚ୍‌ସି ପାଲଙ୍କ କହିବା ଅନୁସାରେ ଫେସ୍‌ବୁକ୍ ପୋ‌ଷ୍ଟକୁ ନେଇ ଉକ୍ତ ଅଞ୍ଚଳରେ ଭୀଷଣ ଉତ୍ତେଜନା ଦେଖାଦେଇଛି। ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ତେବେ ବହୁ ଉଦ୍ୟମ ପରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇପାରିଛି ବୋଲି ପୁଲିସ ଏସ୍‌ପି ପ୍ରବୀର କୁମାର ରାୟ ଶନିବାର କହିଛନ୍ତି। ତଦନ୍ତ ଚାଲିଛି ଏବଂ ହିଂସାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ମୁସଲିମ ବହୁଳ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି କି କେହି କିଛି ଗୋଟାଏ ମିଥ୍ୟା ଗୁଜବ ପ୍ରଚାର କରିଦେଲେ ବି ତାକୁ ନେଇ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି। ଗୁଜବ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରାଯାଉଛି। ଏକ ଆଇନଗତ ଅଧିକାର ଗ୍ରୁପ୍ ‘ଆଇନ ଓ ସାଲିସ କେନ୍ଦ୍ର’ର ସୂଚନା ଅନୁସାରେ ୨୦୧୩ ଜାନୁଆରିରୁ ‌୨୦୨୧ ସେପ୍ଟେମ୍ବର ଭିତରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ୩,୬୭୯ଟି ଆକ୍ରମଣ ହୋଇଯାଇଛି। ଆଜିର ଆକ୍ରମଣ ପରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ବାଂଲାଦେଶ ସରକାର ତତ୍ପରତାର ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର