ପ୍ରଫେଟ ବିବାଦ: ସହାରନପୁରରେ ୫୪ଜଣ ପ୍ରଦର୍ଶନକାରୀ ଗିରଫ

ଲକ୍ଷ୍ନୌ: ପ୍ରଫେଟ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଘନେଇବାରେ ଲାଗିଛି ବିବାଦ। ନୂପୁର ଶର୍ମା ଦେଇଥିବା ବିବୃତିକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ସମୟରେ ପ୍ରୟାଗରାଜରୁ ହାୱଡା ଏବଂ ରାଞ୍ଚି ପର୍ଯ୍ୟନ୍ତ ହିଂସା ବ୍ୟାପିଛି। ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବାରେ ଲାଗିଛି ୟୁପି ପୁଲିସ। ଏଥିସହିତ ରାଞ୍ଚିରେ ପ୍ରଶାସନ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ କହିଛି। ଘରୁ ବାହାରକୁ ଆସୁଥିବା ଲୋକଙ୍କୁ ଅଟକ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ୟୁପିର ସହାରନପୁରରେ ମଧ୍ୟ ନୂପୁର ଶର୍ମା ଦେଇଥିବା ବିବୃତିକୁ ନେଇ ହିଂସା ହୋଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ୫୪ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିସାରିଛି। ବିନା ଅନୁମତିରେ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସହାରନପୁରର ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି। ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଧରାପଡିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସମସ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲାଗୁ କରାଯିବବୋଲି କୁହାଯାଇଛି। ଏହା ସହ ୫୪ଜଣଙ୍କୁ ଗିରଫ କରାଯିବା ପରେ ଏପର୍ଯ୍ୟନ୍ତ ମୋଟ ୨୩୫ଜଣଙ୍କୁ ଗିରଫ କରାଯାଇସାରିଛି।

ଅନ୍ୟପକ୍ଷରେ, ଗତକାଲି ପ୍ରତିବାଦକାରୀମାନେ ପୁଲିସ ସହିତ ସଂଘର୍ଷ କରିବା ପରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଅନେକ ପ୍ରାନ୍ତରେ କର୍ଫ୍ୟୁ ଜାରି କରାଯାଇଛି। ନୂପୁର ଶର୍ମାଙ୍କୁ ଗିରଫ କରାଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରିଥିଲେ। ଟେକାପଥର ଫିଙ୍ଗିବାରୁ ପ୍ରତିବାଦକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାର୍ଜ କରିଥିଲା।

ସମ୍ବନ୍ଧିତ ଖବର