ଦେଶରେ ବ୍ୟାପୁଛି ହିଂସା: ୧୦ ରାଜ୍ୟରେ ୧୫ ହିଂସାକାଣ୍ଡ, ୨୦୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରେ ଦେଶରେ ରାମନବମୀ ଉତ୍ସବ ଆରମ୍ଭ ହୋଇଥିଲା। ଉତ୍ସବ ପାଳନ ସହ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଥିଲା। ତେବେ ସପ୍ତାହକ ମଧ୍ୟରେ ହିଂସା ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଯାଇଛି। ଦେଶରେ ୧୦ ଟି ରାଜ୍ୟରେ ପ୍ରାୟ ୧୫ରୁ ଅଧିକ ହିଂସା ଉପୁଜିଲାଣି। ଏପ୍ରିଲ ୧୦ ତାରିଖରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହିଂସା ଉପୁଜିଥିଲା। ୧୬ ତାରିଖରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହିଂସା ହୋଇଥିଲା। ରବିବାର ଦିନ ମହାରାଷ୍ଟ୍ରରେ ହିଂସା ଉପୁଜିଥିଲା। ଆଜି ପୁଣିଥ‌ରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା ଉପୁଜିଛି। ଉପରୋକ୍ତ ସମସ୍ତ ହିଂସା ମାମଲା ଗୁଡ଼ିକରେ ମୋଟ୍‌ ୨୦୦ରୁ ଅଧିକ ଲୋକ ଗିରଫ ହୋଇ ସାରିଛନ୍ତି। କେବଳ ଜାହାଙ୍ଗୀରପୁରୀ ହିଂସା ମାମଲାରେ ୨୪ ଜଣ ଗିରଫ ହୋଇଛନ୍ତି।

ଗୁଜରାଟ: ରାମ ନବମୀ ଶୋଭାଯାତ୍ରା‌ ବେଳେ ଗୁଜରାଟ ଖମ୍ବାତରେ ସଂଘର୍ଷ ଉପୁଜି ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ୟକ୍ତ ଲୋକ ‌ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ହିମ୍ମତନଗରରେ ସଂଘର୍ଷ ଉପୁଜି ଯାନବାହନ ଭଙ୍ଗାରୁଜା କରାଯାଇଥିଲା।

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଖରଗୋନ୍‌ରେ ମଧ୍ୟ ରାମନବମୀ ଶୋଭାଯାତ୍ରା ବେଳେ ହିଂସା ଉପୁଜିଥିଲା। ହିଂସା ଏବଂ ସଂଘର୍ଷ ଯୋଗୁଁ ଏକାଧିକ ଗାଡ଼ି ଏବଂ ଘରେ ନିଆଁ ଲଗାଇ ଦିଆଯାଇଥିଲା। ହିଂସା ଘଟଣାରେ ୩ ପୁଲିସ ଆହତ ହୋଇଥିଲେ। ପରେ ମଧ୍ୟପ୍ରଦେଶ ସରକାର ଏହି କ୍ଷତିପୂରଣ ପାଇଁ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତର ଘର ଭାଙ୍ଗି ଦେଇଥିଲେ।

ଝାଡ଼ଖଣ୍ଡ : ରାମ ନବମୀ ଦିନ ଝାଡ଼ଖଣ୍ଡର ୨ଟି ସହର ବୋକାରୋ ଏବଂ ଲୋହାରଦଗାରେ ସାମ୍ପ୍ରଦାୟିକ ହିଂସା ଉପୁଜିଥିଲା। ଲୋହାରଦଗାରେ ଦଙ୍ଗାକାରୀମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ପଶ୍ଚିମବଙ୍ଗ : ରାମ ନବମୀ ଶୋଭାଯାତ୍ରା ସମୟ‌ରେ ପଶ୍ଚିମବଙ୍ଗରେ ମଧ୍ୟ ହିଂସା ଉପୁଜିଥିଲା। ଉକ୍ତ ଘଟଣାରେ ରାଜ୍ୟ ସରକାର ତଦନ୍ତ ଆରମ୍ଭ କରିଛନ୍ତି।

କର୍ଣ୍ଣାଟକ : ସୋସିଆଲ ମିଡିଆରେ ମୁସଲିମ୍‌ ବିରୋଧୀ ପୋଷ୍ଟ୍‌ ପାଇଁ କିଛି ବିଶୃଙ୍ଖଳ ଜନତା ଶନିବାର ଦିନ ପୁରୁଣା ହୁବଲି ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିଲେ। ଏହି ମାମଲାରେ ୪୬ ଜଣ ଗିରଫ ‌ହୋଇଛନ୍ତି। ଏହି ଘଟଣାରେ ୧୨ ଜଣ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଗୃହ ମନ୍ତ୍ରୀ ଏହାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କହିଛନ୍ତି।

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କର୍ନୁଲ୍‌ରେ ଶନିବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଥିଲା। ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବାବେଳେ ହୋଲଗୁନ୍ଦାରେ ଏକ ମସଜିଦ୍‌ରେ ଇଫତାର ଚାଲିଥିଲା। ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏଥିଯୋଗୁଁ ୧୫ ଜଣ ଆହତ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ହନୁମାନ ଜୟନ୍ତୀ ଉତ୍ସବରେ ଉଚ୍ଚ ସ୍ବରରେ ଗୀତ ବଜାଇବାକୁ ମସଜିଦ୍‌ର ଲୋକମାନେ ବିରୋଧ କରିଥିଲେ। ଏହା ଫଳରେ ହିଂସା ଉପୁଜିଥିଲା।

ଦିଲ୍ଲୀ: ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା ଉପୁଜିଛି। ଅନ୍ୟପକ୍ଷେ ରାମ ନବମୀ ଦିନ ଜେଏନ୍‌ୟୁ କାବେରୀ ହସ୍ପିଟାଲ୍‌ରେ ଏହି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଆଜି ପୁଣି ଜାହାଙ୍ଗିରପୁରୀରେ ସଦ୍ୟ ହିଂସା ଉପୁଜିଛି।

ଗୋଆ: ଗୋଆର ଭାସ୍କୋ ଅଧୀନସ୍ଥ ବୈନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି। ରାମ ନବମୀରେ କିଛି ଲୋକ ବାଇକ୍‌ ଶୋଭାଯାତ୍ରାରେ ଯାଉଥିବା ସମୟରେ ଇସଲାମ୍‌ପୁର-ବୈନା ଅଞ୍ଚଳରେ ସେମାନଙ୍କ ଉପରକୁ କିଛି ଲୋକ ଛାତ ଉପରୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ କିଛି ବାଇକ୍‌ ଚାଳକ ଜଣେ ସ୍ଥାନୀୟ ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହା ଫଳରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ପୁଲିସ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରିଥିଲା।

ଉତ୍ତରାଖଣ୍ଡ: ହରିଦ୍ବାରରେ ଏପ୍ରିଲ ୧୬ ତାରିଖରେ ହନୁମାନ ଜୟନ୍ତୀ ଶୋଭଯାତ୍ରା ଚାଲିଥିବାବେଳେ ପଥର ମାଡ଼ କରାଯାଇଥିଲା ଏବଂ ସ୍ଲୋଗାନ୍‌ ଦିଆଯାଇଥିଲା। ଭଗବାନପୁର ଥାନା ଅଧୀନସ୍ଥ ଦନ୍ଦା ଜବଲପୁର ଅଞ୍ଚଳ ଦେଇ ଶୋଭାଯାତ୍ରା ହେଉଥିବାବେଳେ ଏହି ଘଟଣା ଘଟିଥିଲା।

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ଅଧୀନସ୍ଥ ଅଚଲପୁରରେ ରବିବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁହ୍ଲା ଗେଟ୍‌ ନିକଟରେ ଗେରୁଆ ପତାକା ଉଡ଼ିବା ଘଟଣାକୁ ନେଇ ଏହ‌ି ହିଂସା ଉପୁଜିଛି। ୨ ଗୋଷ୍ଠୀ ପରସ୍ପର ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଏହି ମାମଲାରେ ୧୬ ଜଣ ଗିରଫ ହୋଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଜାରି ହୋଇଛି।

ସମ୍ବନ୍ଧିତ ଖବର