ମୁଜାଫରାବାଦ: କିଛିଦିନ ହେଲା ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ସରକାରଙ୍କ ଭୁଲ୍ ନୀତି ଓ ଟିକସ ବୃଦ୍ଧି ବିରୋଧରେ ଆନ୍ଦୋଳନ ତେଜିଛି। ମୁଜାଫରାବାଦରେ ଅର୍ଦ୍ଧସାମରିକ ବାହିନୀ ରେଞ୍ଜର୍ସଙ୍କ ଗୁଳିମାଡ଼ ଓ ଲୁହବୁହା ଗ୍ୟାସ ଯୋଗୁଁ ପିଓକେରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ସରକାର ୨୩ ବିଲିୟନ ଟଙ୍କାର ସବ୍ସିଡି ଘୋଷଣା କରିବା ପରେ ପାକିସ୍ତାନୀ ରେଞ୍ଜରମାନେ କୋହାଲାରୁ ଅଞ୍ଚଳ ବାହାରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ରେଞ୍ଜରଙ୍କ ୧୯ଟି ଗାଡିର ଗାଡ଼ିମାଳା ମୁଜାଫରାବାଦରେ ପହଞ୍ଚିବା ପରେ ସୋରନ-ଦା-ନକ୍କା ଗାଁ ନିକଟରେ ପଥରମାଡ଼ ହେବାରୁ ସୁରକ୍ଷାକର୍ମୀମାନେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଗୁଳି ମାଡ଼ କରି ଜବାବ ଦେଇଥିଲେ।
ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ମୁଜାଫରାବାଦ-ବ୍ରାରକୋଟ ରାସ୍ତାରେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନ ବିରୋଧରେ କିଛି ବିକ୍ଷୋଭକାରୀ ‘ଆଜାଦୀ’ (ଆମକୁ ସ୍ବାଧୀନତା ଦରକାର ବୋଲି) ସ୍ଲୋଗାନ ଦେଉଛନ୍ତି। ଆନ୍ଦୋଳନର ନେତୃତ୍ୱ ନେଉଥିବା ଜମ୍ମୁ-କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟି (ଜେଏସି) ଆନ୍ଦୋଳନକାରୀଙ୍କୁ ସେମାନଙ୍କ ପଦଯାତ୍ରା ପୁନଃ ଆରମ୍ଭ କରିବାକୁ କହିଛି ଏବଂ କହିଛି ଯେ ପାକିସ୍ତାନ ସରକାର ସେମାନଙ୍କର ସମସ୍ତ ଦାବି ପୂରଣ କରିନାହାନ୍ତି। ମେ ୧୦ରେ ପିଓକେରେ ଆରମ୍ଭ ହୋଇଥିବା ହିଂସାତ୍ମକ ବିକ୍ଷୋଭରେ ଅଦ୍ୟାବଧି ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି।
ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ବିଦ୍ୟୁତ୍ ଓ ଗହମ ସବସିଡି ବାବଦକୁ ପିଓକେକୁ ୨୩ ବିଲିୟନ ଟଙ୍କା ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ୪୦ କେଜି ଅଟା ଦର ୩୧୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ୧୦୦, ୩୦୦ ଓ ୩୦୦ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ଦର ୟୁନିଟ୍ ପିଛା ଯଥାକ୍ରମେ ୩, ୫ ଓ ୬ ଟଙ୍କାକୁ ହ୍ରାସ କରାଯାଇଛି।
ସଦ୍ୟତମ ହିଂସାକାଣ୍ଡ ସମ୍ପର୍କରେ ପିଓକେର ଜଣେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା କହିଛନ୍ତି ଯେ ମୁଜାଫରାବାଦରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଡକାଇ ସ୍ପଷ୍ଟୀକରଣ ମାଗିବାକୁ ସେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜି ସକାଳେ ପ୍ରାୟ ୫ ଲକ୍ଷ ଲୋକ ମୁଜାଫରାବାଦ ଓ ଉପାନ୍ତ ଅଞ୍ଚଳରେ ରାସ୍ତାକୁ ଓହ୍ଲାଇ ଅଧିକ ଟିକସକୁ ବିରୋଧ କରିଥିଲେ। ହଠାତ୍ ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ରେଞ୍ଜରମାନେ ପଛକୁ ହଟିଯାଇଥିଲେ। ଏପରି ଲାଗୁଥିଲା ଯେମିତି ରେଞ୍ଜରମାନେ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଛନ୍ତି, କିନ୍ତୁ ତା’ପରେ ସେମାନେ ଆକସ୍ମିକ ଭାବେ ପଥରମାଡ଼ର ଜବାବ ଗୁଳିରେ ଦେଇଥିଲେ ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ମିର୍ଜା କହିଛନ୍ତି।