କେରଳରେ ପିଏଫ୍‌ଆଇର ହିଂସାତ୍ମକ ଆନ୍ଦୋଳନ, କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୫୦୦ ପିଏଫ୍‌ଆଇ ସମର୍ଥକ ଗିରଫ, କର୍ଣ୍ଣାଟକରେ ନିଷିଦ୍ଧ ହେବ ପିଏଫ୍‌ଆଇ

ନୂଆଦିଲ୍ଲୀ : ଇସଲାମିକ୍‌ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ଶୁକ୍ରବାର ଦିନ କେରଳରେ ହିଂସାତ୍ମକ ଆନ୍ଦୋଳନ କରିଛି। ଗତକାଲି ପିଏଫ୍‌ଆଇ ଉପରେ ଦେଶବ୍ୟାପୀ ଏନ୍‌ଆଇଏ ଚଢ଼ଉ କରିଥିଲା ଏବଂ ଏଥିରେ ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିଲେ। ଚଢ଼ଉ ପ୍ରତିବାଦରେ ପିଏଫ୍‌ଆଇ ବ୍ୟାପକ ହିଂସା ପାଇଁ ମସୁଧା କରୁଛି ଏବଂ କେରଳରେ ଶୁକ୍ରବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ବନ୍ଦ ସମୟରେ ଉଗ୍ର ପ୍ରଦର୍ଶନକାରୀମାନେ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ପଥର ମାଡ଼ ସହ ଗାଡ଼ି ଭଙ୍ଗାରୁଜା ଏବଂ ବଳପୂର୍ବକ ଦୋକାନ ବଜାର ବନ୍ଦ କରାଯାଇଥିବାରୁ ଏଥିରେ କେରଳ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ହାଇକୋର୍ଟ ନିଜଆଡୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଜବରଦସ୍ତ ବନ୍ଦ ପାଳନ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ପୂର୍ବରୁ ଏକ ନିର୍ଦ୍ଦେଶରେ କହିଥିଲେ ଯେ ୭ ଦିନ ପୂର୍ବରୁ ନୋଟିସ ନଦେଇ କେହି ବନ୍ଦ ପାଳନ କରିପାରିବେ ନାହିଁ। ହାଇକୋର୍ଟ ନିର୍ଦ୍ଦେଶ ପରେ ପୁଲିସ ଶୁକ୍ରବାର ଦିନ ୫୦୦ରୁ ଅଧିକ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତା ତଥା ସମର୍ଥକଙ୍କୁ ଗିରଫ କରିଛି।

କେରଳର ବିଭିନ୍ନ ସହରରେ ନିରୀହ ଲୋକଙ୍କ ଉପରେ ପିଏଫ୍‌ଆଇ ସମର୍ଥକଙ୍କ ଆକ୍ରମଣକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । କନ୍ନୁର ସ୍ଥିତ ଆରଏସଏସ ଅଫିସରେ ଶୁକ୍ରବାର ଦିନ ପେଟ୍ରୋଲ ବୋମା ମାଡ଼ ହୋଇଛି। ୨ ଜଣ ବ୍ୟକ୍ତି ଏକ ସ୍କୁଟରରେ ଆସି ଅଫିସକୁ ପେଟ୍ରୋଲ ବୋମା ନିକ୍ଷେପ କରିଥିଲେ। ପଥର ମାଡ଼ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। କୋଟ୍ଟାୟମ ଜିଲ୍ଲାର ଏରାଟ୍ଟୁପେଟ୍ଟା ସହରରେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲାଠି ମାଡ଼ କରିଥିଲା। ପିଏଫ୍‌ଆଇ ଆକ୍ରମଣରେ କେତେକ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ତିରୁଅନନ୍ତପୁରମ, କୋଲ୍ଲମ , କୋଝିକୋଡ଼, ୱାୟନାଡ଼ ଏବଂ ଆଲାପ୍ପୁଝାରେ ବ୍ୟାପକ ହିଂସା ହୋଇଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ ପିଏଫ୍‌ଆଇକୁ ନିଷିଦ୍ଧ କରାଯିବ। ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି। କର୍ଣ୍ଣାଟକରେ ମଧ୍ୟ ହିଂସା ପାଇଁ ପିଏଫ୍‌ଆଇ ମସୁଧା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପୁଲିସ ବାହିନୀ ହାଇଆଲର୍ଟରେ ଅଛନ୍ତି।

ସମ୍ବନ୍ଧିତ ଖବର