ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ (ସିଏଏ) ବିରୋଧରେ ହିଂସା ଶନିବାରଦିନ ମଧ୍ୟ ଜାରି ରହିଛି । ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଦେଶର ବିଭିନ୍ନ ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛିି ।
ଉତ୍ତର ପ୍ରଦେଶରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ରାଜ୍ୟର ପୁଲିସ ଆଇଜି (ଆଇନ ଶୃଙ୍ଖଳା) ପ୍ରବୀଣ କୁମାର କହିଛନ୍ତି ଯେ ଡିସେମ୍ବର୧୦ରୁ ଶନିବାରସୁଦ୍ଧା ଏହି ହିଂସାରେ ମୋଟ ୧୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହା ସହିତ ପ୍ରାୟ ୨୬୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ଓ ଏମାନଙ୍କ ମଧ୍ୟରୁ ୫୭ ଜଣଙ୍କୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଆଜି ରାଜ୍ୟର କାନପୁର ଓ ରାମପୁରରେ ହିଂସା ଦେଖାଦେଇଥିଲା । କାନପୁରରେ ବିକ୍ଷୋଭକାରୀମାନେ ଏକ ପୁଲିସ ଚୌକୀରେ ନିଆଁ ଲଗାଇଦେଇଛନ୍ତି । ଶୁକ୍ରବାରଦିନ ମିରଟ ଜିଲ୍ଲାରେ ୪ ଜଣ ମୃତ୍ୟୁବରଣ କରିଥିଲେ । ସେହିପରି ଦିଲ୍ଲୀରେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦିଲ୍ଲୀର ଜାମା ମସଜିଦ ଇଲାକାରୁ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ପୁଲିସ ଗିରଫ କରିଛି । ଦରିୟାଗଞ୍ଜ ହିଂସା ମାମଲାରେ ଗିରଫ ହୋଇଥିବା ୧୫ ଜଣ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।
ଅନ୍ୟପକ୍ଷରେ ବିହାରରେ ମଧ୍ୟ ସିଏଏ ଓ ଏନଆରସି ବିରୋଧରେ ହିଂସା ଦେଖାଦେଇଛି । ରାଜ୍ୟରେ ଆଜି ରାଷ୍ଟ୍ରୀୟ ଜନତା ଜଳ (ଆରଜେଡି) ଓ ଭୀମ ଆର୍ମି ପକ୍ଷରୁ ବନ୍ଦ ପାଳନ ବେଳେ ହିଂସା ଦେଖାଦେଇଥିଲା । ଏହା ଫଳରେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାକୁ ଦେଖି ବିଭିନ୍ନ ରାଜ୍ୟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରାଜସ୍ଥାନର ଜୟପୁରରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି ।