ହ୍ବାଇଟ୍ ହାଉସ୍ ସମ୍ମୁଖରେ ହିଂସାତ୍ମକ ବିକ୍ଷୋଭ, ବଙ୍କରରେ ଲୁଚିଲେ ଟ୍ରମ୍ପ୍
ଜାତୀୟ ସଂହତି ରକ୍ଷା ପାଇଁ ଗୁଗଲ ମୁଖ୍ୟଙ୍କ ନିବେଦନ
ୱାସିଂଟନ୍: ଜଣେ ଆଫ୍ରିକୀୟ-ଆମେରିକୀୟ କଳା ନାଗରିକଙ୍କୁ ଜଣେ ଗୋରା ପୁଲିସ୍ ଅଧିକାରୀ ତଣ୍ଟିଚିପି ମାରିଦେବା ପରେ ଆମେରିକାରେ ପ୍ରତିବାଦ-ଆନ୍ଦୋଳନ ଚରମରେ ପହଞ୍ଚିଛି। ଶୁକ୍ରବାର ରାତିରେ ଶତାଧିକ ବିକ୍ଷୋଭକାରୀ ସମବେତ ହୋଇ ପୁଲିସ୍ ବ୍ୟାରିକେଡ୍ ଉପରକୁ ଟେକାପଥର ମାଡ଼ କରିଥିଲେ। ପରିସ୍ଥିତି ଏପରି ହେଲା ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସ୍ ବଙ୍କର ଭିତରେ ପ୍ରାୟ ଘଣ୍ଟାଏ ରହିବାକୁ ପଡ଼ିଲା। ଏହା ହ୍ୱାଇଟ୍ହାଉସ୍ର ଏକ ବ୍ୟବସ୍ଥିତ ବଙ୍କର, ଯାହା ସାଧାରଣତଃ ଆତଙ୍କବାଦୀ ଆକ୍ରମଣ ଭଳି ଜରୁରିକାଳୀନ ପରିସ୍ଥିତିରେ ବ୍ୟବହୃତ ହୋଇଥାଏ। ଜର୍ଜ ଫ୍ଲଏଡ୍ ନାମକ ଜଣେ କଳାବ୍ୟକ୍ତିଙ୍କୁ ମିନିଆପଲିସ୍ର ଜଣେ ପୁଲିସ୍ ଅଧିକାରୀ ମାରିଦେବା ପରେ କଳାଲୋକମାନେ ସବୁ ସହରରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହ୍ବାଇଟ୍ହାଉସ୍ ନିରାପତ୍ତା ବିଭାଗ କହିଛି ଯେ ସମବେତ ବିକ୍ଷୋଭକାରୀମାନେ ଏତେ ମାତ୍ରାରେ ଉତ୍କ୍ଷିପ୍ତ ଓ ଉତ୍ତେଜିତ ଥିଲେ ଯେ ଡୋନାଲ୍ଡ୍ ଟ୍ରମ୍ପ, ମେଲାନିଆ ଟ୍ରମ୍ପ୍ ଓ ଏ ଦମ୍ପତିଙ୍କ ୧୪ ବର୍ଷୀୟ ପୁଅ ବ୍ୟାରୋନ୍ଙ୍କୁ ହ୍ବାଇଟ୍ହାଉସ୍ର ଗୁମ୍ଫା (ବଙ୍କର) ଭିତରେ ଲୁଚାଇବାକୁ ପଡ଼ିଥିଲା। ଶନିବାର ଟ୍ରମ୍ପ୍ ଫ୍ଲୋରିଡ଼ା ଯାଇଥିଲେ ସ୍ପେସ୍ଏକ୍ସର ଉତ୍କ୍ଷେପଣ ଦେଖିବାକୁ। ସେଠାରେ ମଧ୍ୟ କଳାଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଟେଲିଭିଜନରେ ଉତ୍କ୍ଷେପଣର ସିଧାପ୍ରସାରଣ ବେଳେ ମଧ୍ୟ ଲୋକଙ୍କ ବିକ୍ଷୋଭକୁ ଦର୍ଶକ ଟିଭି ପର୍ଦାରେ ଦେଖିଥିଲେ। ପରିସ୍ଥିତି ଏପରି ହୋଇଛି ଯେ ରବିବାର ଟ୍ରମ୍ପ ଆଦୌ ପଦାକୁ ବାହାରିନାହାନ୍ତି। ରବିବାର କଳା ଲୋକଙ୍କ ବିକ୍ଷୋଭ ଏତେ ଉଗ୍ର ହୋଇଥିଲା ଯେ ପୁଲିସ୍କୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା।
ଜାତୀୟ ସଂହତି ରକ୍ଷା ପାଇଁ ଗୁଗଲ ମୁଖ୍ୟଙ୍କ ନିବେଦନ
ମିନେପଲିସ: ଆମେରିକାରେ ଦେଖାଦେଇଥିବା ବର୍ଣ୍ଣବୈଷମ୍ୟ ହିଂସାକୁ ନେଇ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଜାତୀୟ ସଂହତି ଓ ଶାନ୍ତି ରକ୍ଷା କରିବାକୁ ପିଚାଇ ଆହ୍ବାନ ଜଣାଇଛନ୍ତି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ମଣିଷ ସମାନ। ଆମେରିକାରେ ଥିବା ଆଫ୍ରିକୀୟ ଓ ଆମେରିକୀୟ ଭେଦଭାବ ନ ରଖିବାକୁ ପିଚାଇ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ପାଇଁ ଏବଂ ତାଙ୍କ କମ୍ପାନି ପାଇଁ କଳା ଓ ଗୋରା ଲୋକ ସମାନ। ଏଣୁ ବର୍ଣ୍ଣବୈଷମ୍ୟର ଉର୍ଦ୍ଧ୍ବକୁ ଯାଇ ଜାତୀୟ ସଂହତି ରକ୍ଷା କରିବା ଏବେ ଜରୁରୀ।