ତେଜିଲା ସିଏବି ତାତି : ଆସାମ ଅଣାୟତ୍ତ, ପୁଲିସ ଗୁଳିରେ ୨ ମୃତ

ବିଭିନ୍ନ ଅଂଚଳକୁ ହିଂସା ବ୍ୟାପିଲା, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ
ବିଧାୟକଙ୍କ ଘର ଜାଳିଦେଲେ, ବଦଳିଲେ ପୁଲିସ କମିସନର

ଗୌହାଟି : ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ବିରୋଧ କରି ଆସାମରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ଆହୁରି ଉଗ୍ର ହୋଇଛି। ବିଭିନ୍ନ ଅଂଚଳକୁ ହିଂସା ବ୍ୟାପିଥିବା ବେଳେ ହଜାର ହଜାର ଲୋକ କର୍ଫ୍ୟୁ ଉଲ୍ଲଂଘନ କରି ରାସ୍ତା ଉପରକୁ ଆସିଛନ୍ତି। ଆଜି ସନ୍ଧ୍ୟାରେ ଗୌହାଟିରେ ପୁଲିସ ବାହିନୀ ଉପରେ ଆନ୍ଦୋଳନକାରୀଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଥିଲା। ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିବା ଲାଗି ପୁଲିସ ଗୁଳିମାଡ଼ କରିବାକୁ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ହିଂସା ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ଆଜି ଗୌହାଟି ପୁଲିସ କମିସନରଙ୍କ ସମେତ ଆଉ କେତେକ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି । ଗୌହାଟି ପୁଲିସ କମିସନର ଦୀପକ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦଙ୍କୁ ନୂତନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଆସାମର ଅତିରିକ୍ତ ପୁଲିସ ଡିଜି ( ଆଇନ ଶୃଙ୍ଖଳା) ମୁକେଶ ଅଗ୍ରୱାଲଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

ସିଏବିକୁ ବିରୋଧ କରି ଆନ୍ଦୋଳନ ଉଗ୍ର ରୂପ ନେଉଥିବାରୁ ଗତରାତିରୁ ଗୌହାଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଆସାମରେ ଇଣ୍ଟରନେଟ ସେବା ଉପରେ ଲାଗିଥିବା କଟକଣାକୁ ଆଉ ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। ଲାଲୁଗଙ୍ଗାବ୍‌ ଅଂଚଳରେ ସୁରକ୍ଷା ବାହିନୀ ଉପରେ ପଥରମାଡ଼ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଗୁଳି ଚାଳନା କରିଥିଲା ଏବଂ ଏଥିରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଖିଳ ଆସାମ ଛାତ୍ର ସଂଗଠନ ଏବଂ କୃଷକ ମୁକ୍ତି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ଯେ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ନ ଆଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଗତ ରାତିରେ କର୍ଫ୍ୟୁ ସତ୍ତ୍ବେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଯାନବାହନରେ ନିଆଁ ଲଗାଇ ଦେବା ସହ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ବିଜେପି ଏବଂ ଆସାମ ଗଣ ପରିଷଦର ଅନେକ ନେତାଙ୍କ ବାସଭବନରେ ମଧ୍ୟ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଆକ୍ରମଣ କରିଛନ୍ତି। ଦିବ୍ରୁଗଡ଼ରେ କର୍ଫ୍ୟୁ ସତ୍ତ୍ବେ ନେତାମାନଙ୍କ ଘରେ ଆକ୍ରମଣ ହୋଇଛି। ଚାବୁଆରେ ବିଜେପି ବିଧାୟକ ବିନୋଦ ହଜାରିକାଙ୍କ ବାସଭବନରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେବା ଦେବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଦିବ୍ରୁଗଡ଼, ସାଦ୍ୟା ଏବଂ ତେଜପୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ସୋନୋୱାଲ କହିଛନ୍ତି, କିଛି ଲୋକ ମିଥ୍ୟା ଖବର ପ୍ରଚାର କରି ହିଂସାକୁ ଉସୁକାଉଛନ୍ତି ଏବଂ ଗୌହାଟିରେ ହିଂସା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଛି। ଲୋକେ ହିଂସାରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ୧୫ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଶିଖର ସମ୍ମିଳନୀ ପାଇଁ ଗୌହାଟିରେ ଲଗାଯାଇଥିବା ହୋର୍ଡିଂ ଏବଂ ସ୍ବାଗତ ତୋରଣକୁ ମଧ୍ୟ ଆନ୍ଦୋଳନକାରୀ ନଷ୍ଟ କରିଥିବା ପ୍ରକାଶ। ଦିବ୍ରୁଗଡ଼, ଚବୁଆ ଏବଂ ପନିଟୋଲା ରେଳ ଷ୍ଟେସନର ନିୟନ୍ତ୍ରଣ କକ୍ଷରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି।

ତ୍ରିପୁରାର ଅନେକ ଅଞ୍ଚଳରେ ମଧ୍ୟ ହିଂସା ଥମିନାହିଁ। ସେଠାରେ ସେନ‌ା ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର