ଟ୍ରମ୍ପଙ୍କ ଗସ୍ତବେଳେ ଭାରତକୁ ବଦନାମ କରିବାକୁ ଦିଲ୍ଲୀରେ ହିଂସାକାଣ୍ଡ କରାଯାଉଛି : ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ଅଶାନ୍ତ ହୋଇଉଠିଛି ରାଜଧାନୀ । ନାଗରିକତା ଆଇନ ବିରୋଧୀ ଓ ସପକ୍ଷବାଦୀଙ୍କମଧ୍ୟ ଚାଲିଥିବା ହିଂସା ଗୁରୁତର ଆକାର ଧାରଣ କରିଛି । ଏହି ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳ ଓ ଜଣେ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ହିଂସାକାଣ୍ଡକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଟ୍ରମ୍ପଙ୍କ ଗସ୍ତବେଳେ ଭାରତକୁ ବଦନାମ କରିବାକୁ ଜାଣିଶୁଣି ଅତ୍ୟନ୍ତ ଯୋଜନାବଦ୍ଧଭାବରେ ଏହି ହିଂସାକାଣ୍ଡ କରାଯାଇଛି ବୋଲି ମନ୍ତ୍ରାଳୟ କହିଛି ।

 

କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି ଯେ ଏହି ହିଂସାକାଣ୍ଡରେ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାର କେବେ ହେଲେ ହିଂସାକାଣ୍ଡକୁ ବରଦାସ୍ତ କରିବେ ନାହିଁ । ମନ୍ତ୍ରାଳୟ ଏହି ପରିସ୍ଥିତି ଉପରେ ନଜର ରଖିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଏହି ହିଂସାକୁ ସହ୍ୟ କରିବେ ନାହିଁ । ଦିଲ୍ଲୀକୁ ଅତିରିକ୍ତ ସୁରକ୍ଷାବଳ ଅଣାଯିବ । କିଛି ଲୋକ ଭାରତକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ନାଗରିକମାନଙ୍କର ଆନ୍ଦୋଳନ ଓ ବିକ୍ଷୋଭ କରିବାର ଅଧିକାର ଅଛି, କିନ୍ତୁ ଆଜି ଯାହା ହେଲା ତାହା ଗ୍ରହଣୀୟ ନୁହେଁ । ହିଂସାକାଣ୍ଡକାରୀଙ୍କୁ କଡ଼ା ଚେତାବନୀ ଦିଆଯାଉଛି ।

ସମ୍ବନ୍ଧିତ ଖବର