ଅପହୃତ ଦୁଇ ଯାଆଁଳା ପିଲାଙ୍କ ଶବ ମିଳିବା ପରେ ଚିତ୍ରକୂଟରେ ତୀବ୍ର ପ୍ରତିବାଦ ପ୍ରଦର୍ଶନ

କାନପୁର: ଫେବ୍ରୁଆରି ୧୨ ତାରିଖରେ ମଧ୍ୟପ୍ରଦେଶର ଚିତ୍ରକୂଟରୁ ଅପହୃତ ଜଣେ ବ୍ୟବସାୟୀଙ୍କର ଛଅ ବର୍ଷିୟ ଯାଆଁଳା ପୁଅଙ୍କ ଶବ ରବିବାର ସକାଳେ ଉତ୍ତର ପ୍ରଦେଶର ଚିତ୍ରକୂଟ ଅନ୍ତର୍ଗତ ଯମୁନା ନଦୀକୂଳରୁ ଉଦ୍ଧାର କରାଯିବା ପରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ହଜାର ହଜାର ଲୋକ ରାସ୍ତାକୁ ଚାଲି ଆସି ଜାନକୀକୁଣ୍ଡ ସପିଙ୍ଗ୍‌ କମ୍ପ୍ଲେକ୍ସ ଭଙ୍ଗାଭଙ୍ଗି କରିଛନ୍ତି। କେତେକ ଦୋକାନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଲୋକଙ୍କୁ ଛତ୍ରଭଙ୍ଗ କରାଇବାକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରୁଛି।

ପିଲା ଦୁହିଁଙ୍କର ହାତଗୋଡ଼ ବାନ୍ଧି ଜୀବନ୍ତ ଅବସ୍ଥାରେ ନଈକୁ ଫିଙ୍ଗି ଦିଆଯାଇଥିବା କଥା ପୁଲିସ କହିଛି।

ଶ୍ରେୟାଂଶ ଓ ପ୍ରିୟାଂଶ ରାଓ୍ଵତ୍‌ ନାମକ ସେ ଦୁଇ ଯାଆଁଳା ପିଲାଙ୍କୁ ଚିତ୍ରକୂଟର ନୟାଗାଓଁ ନିକଟରୁ ସେମାନଙ୍କ ସ୍କୁଲ୍‌ ବସ୍‌ ଭିତରୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିଲା। ସେମାନଙ୍କ ପରିବାର ଉତ୍ତର ପ୍ରଦେଶର ଚିତ୍ରକୂଟରେ ବସବାସ କରନ୍ତି ଓ ସେମାନେ ମଧ୍ୟପ୍ରଦେଶ ପଟ ଚିତ୍ରକୂଟରେ ଥିବା ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଫେବ୍ରୁଆରି ୧୯ ତାରିଖ ଦିନ ସେ ଅପହରଣକାରୀଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ସେମାନେ ୧ କୋଟି ଟଙ୍କା ଦାବି କରିଥିଲେ। ଫେବ୍ରୁଆରି ୨୧ ତାରିଖ ଦିନ ସେ ଦୁଇ ବାଳକଙ୍କୁ ହତ୍ୟା କରାଯାଇଛି।

ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ୍ପେସାଲ୍‌ ଟାସ୍କ ଫୋର୍ସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହିଁ ପିଲାଙ୍କୁ ଫିଙ୍ଗାଯାଇଥିବା ସ୍ଥାନକୁ ପୁଲିସକୁ ବାଟ କଢ଼ାଇ ନେଇଥିଲେ। ସାରା ରାତି ତଲାସ ପରେ ମଧ୍ୟ ପ୍ରଦେଶର ମାର୍କା ଥାନା ଅଞ୍ଚଳର ବକୁଳ ଗାଁ ନିକଟରେ ଥିବା ଗୋଟାଏ ମନ୍ଦିର ପାଖରୁ ପିଲାଙ୍କ ଶବ ମିଳିଥିଲା।

ସମ୍ବନ୍ଧିତ ଖବର