ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପାଇଁ ଆଜି ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ମତଦାନ ହେବ। ଆସନ୍ତାକାଲି ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀମାନେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଏନ୍‌ଡିଏ ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଚୂଡ଼ାନ୍ତ ହୋଇସାରିଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି।  ବିରୋଧୀ ମହାମେଣ୍ଟ ମଧ୍ୟରେ କିଏ କେଉଁଠାରୁ ଲଢ଼ିବ ସେହି ବିବାଦ ଏ ପର୍ଯ୍ୟନ୍ତ ତୁଟିପାରୁନି। ମହାମେଣ୍ଟରେ ଆସନ ବୁଝାମଣା ନେଇ ଅଚଳାବସ୍ଥା ଭିତରେ ‘ଭିଆଇପି’ ସମସ୍ୟା ସୃଷ୍ଟି ହୋଇଛି। ମୁକେଶ ଶାହାଣୀଙ୍କ ନେତୃତ୍ବାଧୀନ ଭିଆଇପି (ବିକାଶଶୀଳ ଇନ୍‌ସାନ ପାର୍ଟି)  ୧୫ ଆସନ ଦାବି କରିଛି ଏବଂ ଶାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାପାଇଁ ଦାବି କରାଯାଇଛି।  ଏହି ପ୍ରସଙ୍ଗ ମହାମେଣ୍ଟ ପାଇଁ ଏକ ଜଟିଳ ପ୍ରସଙ୍ଗ।  
Advertisment
ସୂଚନାନୁଯାୟୀ ଶାହାଣୀ ଯିଏ କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟରେ ଯୋଗ ଦେଇଥିଲେ ପ୍ରଥମେ ୬୦ ଆସନ ଦାବି କରିଥିଲେ। ପରେ ସେ ୪୦ ଆସନ ଦାବି କରିଥିଲେ। ଏଥିରେ ବି ରାଜି ଆର୍‌ଜେଡି-କଂଗ୍ରେସ ରାଜି ନହେବାରୁ  ଶାହାଣୀ  ୧୫ ଆସନ ଦାବି କରିଛନ୍ତି।  କିନ୍ତୁ ତେଜସ୍ବୀ ଯାଦବଙ୍କ ଆର୍‌ଜେଡି ଶାହାଣୀଙ୍କୁ ୧୨ରୁ ଅଧିକ ଆସନ ଦେବାପାଇଁ ପ୍ରସ୍ତୁତ ନାହିଁ।  ସେହିପରି ଶାହାଣୀ ଉପମୁଖ୍ୟମନ୍ତ୍ରୀ ପଦ ଚାହିଥିବାରୁ ଏହା ମଧ୍ୟ ବୁଝାମଣାକୁ ଅଧିକ ଜଟିଳ କରିଦେଇଛି। ଶାହାଣୀ ମଧ୍ୟ ବିହାରର ଅମୋର, ବଥନାହା, ଗୌରା ବୌରମ, ଅଲିନଗର, ରାଜୌଲି, ଭଭୁଆ, କେସରିୟା, ଝଞ୍ଝାରପୁର, ଗୋପାଳପୁର, ସକରା, ନୌତନ, ହରନୌତ, ଔରାଇ, ନାଳନ୍ଦା, ଛତ୍ରପୁର ସମେତ କିଛି ନିର୍ଦ୍ଦିଷ୍ଟ ଆସନ ଦାବି କରିଛନ୍ତି। ତେବେ ଏନେଇ ତେଜସ୍ବୀଙ୍କଠାରୁ କୌଣସି ଜବାବ ନମିଳିବାରୁ ଶାହାଣୀ କଂଗ୍ରେସ ଏବଂ ବାମ ଦଳ ନିକଟରେ ପହଞ୍ଚିଥିଲେ।  ଏକ ଚାପ ରଣନୀତି ଅବଲମ୍ବନ ସ୍ବରୂପ ଶାହାଣୀ ଗୁରୁବାର ୩ ଥର ସାମ୍ବାଦିକ ସମ୍ମିଳନୀ ଘୁଞ୍ଚାଇଥିଲେ ଏବଂ ପରିଶେଷରେ ବାତିଲ କରିଥିଲେ।  
ଗତକାଲି ଦିନ ସାରା ଏକ ହାଇଡ୍ରାମା ହୋଇଥିଲା। ଶାହାଣୀ ମହାମେଣ୍ଟ ଛାଡ଼ିଦେବେ ବୋଲି ମଧ୍ୟ ସଙ୍କେତ ଦେଇଥିଲେ। କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ଶାହାଣୀଙ୍କ ସହ କଥା‌ ହେବାପରେ ଏହାକୁ ରୋକାଯାଇ ପାରିଥିଲା।  ଶାହାଣୀ ଏହାପରେ ରାହୁଲଙ୍କ ପାଖକୁ ଏକ ଚିଠି ଲେଖି କହିଥିଲେ ଯେ ଇଣ୍ଡି ମେଣ୍ଟର ବିଚାରଧାରା ପ୍ରତି ସେ ପ୍ରତିଶ୍ରୁତିବଦ୍ଧ ଏବଂ ଆସନ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ।    
ଏନ୍‌ଡିଏର ଗଣିତ ବିଗାଡ଼ିବ ଏସ୍‌ବିଏସ୍‌ପି, ୧୫୩ ଆସନରେ ପ୍ରାର୍ଥୀ ଘୋଷଣା
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଦିନକ ପରେ ବିଜେପିର ଉତ୍ତରପ୍ରଦେଶ ସହଯୋଗୀ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) କହିଛି ଯେ ଏହା ବିହାରରେ ୨୪୩ ଆସନରୁ ୧୫୩ଟି ଆସନରେ ପ୍ରାର୍ଥୀ ଦେବ।  ଏସ୍‌ବିଏସ୍‌ପି ବିହାର ନିର୍ବାଚନରେ ପ୍ରବେଶ କରିବା ଏହା ସଙ୍କେତ ଦେଉଛି ଯେ ଅନେକ ନିର୍ବାଚନମଣ୍ଡଳୀରେ ଏନ୍‌ଡିଏର ଗଣିତ ପ୍ରଭାବିତ ହେବ।  ଏସ୍‌ବିଏସ୍‌ପି ସଭାପତି ଏବଂ ପ୍ରମୁଖ ଓବିସି ନେତା ଓମ୍‌ ପ୍ରକାଶ ରାଜଭର ଯିଏ ଏବେ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରରେ ଜଣେ ମନ୍ତ୍ରୀ ଅଛନ୍ତି କହିଛନ୍ତି ଯେ ଯଦି ବିଜେପି ତାଙ୍କ ଦଳକୁ ଏନ୍‌ଡିଏର ଏକ ସହଯୋଗୀ ଭା‌ବେ ବିହାରରେ ୩-୪ଟି ଆସନ ବି ଦେଇଥାନ୍ତା ତେବେ ଏସ୍‌ବିଏସ୍‌ପି ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିଦେଇଥାନ୍ତା।  ବିହାର ନିର୍ବାଚନରେ ଏସ୍‌ବିଏସ୍‌ପିକୁ କୌଣସି ସ୍ଥାନ ନମିଳିବାରୁ  ଏଭଳି ନିଷ୍ପତ୍ତି ନିଆଯାଇଛି।  ସାମ୍ବାଦିକଙ୍କୁ ସୂଚନା ଦେଇ ରାଜଭର କହିଛନ୍ତି, ବିହାର ବିଜେପି ଭୟ କରିଯାଇଛି ଯେ ଯଦି ଆମେ ଜିତିଯାଉ ତେବେ ଆମକୁ ଏନ୍‌ଡିଏ ସରକାରରେ ଆସନ ଦେବାକୁ ପଡ଼ିବ ଏବଂ ବିଭାଗ ବି ଦେବାକୁ ପଡ଼ିପାରେ। ସେ ଦାବି କରିଛନ୍ତି ଯେ ଗତବର୍ଷ ବିହାର ବିଧାନସଭା ଉପନିର୍ବାଚନରେ ଏସ୍‌ବିଏସ୍‌ପି ତରାଇ ଏବଂ ରାମଗଡ଼ରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ  ବିଜେପି ଅନୁରୋଧ କରିବାପରେ ଆମେ  ଓହରିଥିଲୁ ବୋଲି ସେ କହିଛନ୍ତି।