କରୋନା ମହାମାରୀ ପାଇଁ ଡାକ୍ତରଖାନାରେ ନର୍ସଙ୍କୁ ବିବାହ କଲେ ଡାକ୍ତର, ଭିଡ଼ିଓ କଲରେ ଆଶୀର୍ବାଦ ଦେଲେ ପରିବାର ଲୋକ

ଲଣ୍ଡନ: କରୋନା ମହାମାରୀ ପାଇଁ ଏବେ ବଡ ବଡ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି | ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷପ ବିଭିନ୍ନ ଦେଶର ସରକାର ନେଇଥିବା ଦେଖାଯାଇଛି | ଗତକାଲି ଗୁଜୁରାଟରେ କରୋନା ପାଇଁ ପ୍ରାୟ ୩୦,୦୦୦ ବିବାହ ସ୍ଥଗିତ ରହିଥିବା ଖବର ସାମ୍ନାକୁ ଆସିଥିଲା | ଅନେକ ସ୍ଥାନରେ ଲୋକ ବିବାହ ସ୍ଥଗିତ ରଖୁଥିବା ବେଳେ କିଛି ଲୋକ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରୁଥିବା ଦେଖାଯାଉଛି | ଲଣ୍ଡନର ଜଣେ ଡାକ୍ତର ଏବଂ ଜଣେ ନର୍ସ ମଧ୍ୟ ସେଭଳି କିଛି କରିଥିବା ସାମ୍ନାକୁ ଆସିଛି | ଦୁହିଁଙ୍କ ବିବାହ ଅଗଷ୍ଟ ମାସରେ ହେବ ବୋଲି ତାରିଖ ସ୍ଥିର କରାଯାଇଥିବା ବେଳେ କରୋନା ପରିସ୍ଥିତିକୁ ଦେଖି ଦୁହେଁ କାମ କରୁଥିବା ଡାକ୍ତରଖାନାରେ ବିବାହ କରିଥିବା ଜଣା ପଡିଛି |

ମିଳିଥିବା ସୂଚନା ମୁତାବକ, ଜନ ଟିପିଙ୍ଗ(୩୪) ଏବଂ ଆନ୍ନାଲାନ ନଭରତନାମ(୩୦) ଅଗଷ୍ଟରେ ସ୍ଥିର ହୋଇଥିବା ବିବାହ ତାରିଖକୁ ବାତିଲ କରି ଏପ୍ରିଲ ୨୪ରେ ବିବାହ କରିଥିଲେ | ଦୁହିଁଙ୍କ ପରିବାର ଆୟରଲଣ୍ଡ ଏବଂ ଶ୍ରୀଲଙ୍କାରେ ରହୁଥିବା ବେଳେ କରୋନା ସମୟରେ ସେମାନଙ୍କର ଲଣ୍ଡନ ଆସିବା ସମ୍ଭବ ନଥିବାରୁ ଦୁହେଁ ଏଭଳି ପଦକ୍ଷପ ନେଇଥିଲେ | ଏପ୍ରିଲ୍ ମାସରେ ଲଣ୍ଡନର ସେଣ୍ଟ ଥୋମାସ୍ ହସ୍ପିଟାଲରେ ଥିବା ଚର୍ଚ୍ଚରେ ଦୁହେଁ ବିବାହ କରିଥିବା ବେଳେ ସେମାନଙ୍କ ପରିବାର ଏବଂ ବନ୍ଧୁମାନେ ଏହି ସମାରୋହରେ ଭିଡ଼ିଓ କଲିଙ୍ଗ ଜରିଆରେ ସାମିଲ ହୋଇଥିଲେ ବୋଲି ଜଣା ପଡିଛି।

ଡାକ୍ତରଖାନା ପକ୍ଷରୁ ଦୁହିଁଙ୍କ ବିବାହ ଫଟୋ ଏବେ ଟୁଇଟ କରାଯିବା ପରେ ଖବରଟି ସାମ୍ନାକୁ ଆସିଥିଲା | ଟୁଇଟ ପରେ ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର