ଆମେ ଭୁଲ କରି ଭୋଗିଲୁ, ତୁମେ ବେଳ ହୁଁ ସତର୍କ ହୁଅ

‘ଇଟାଲିରୁ ଚିଠି’ ଭାଇରାଲ୍‌

ମିଲାନ: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଏବେ ଇଟାଲି ଅତ୍ୟନ୍ତ ଅସହାୟ ହୋଇପଡ଼ିଛି। ମିଲାନ ସହରର ଅବସ୍ଥା ନେଇ ବିଶ୍ବବାସୀଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଇଟାଲିରୁ ଆସିଥିବା ଏକ ପତ୍ର ଭାଇରାଲ୍‌ ହୋଇଛି। ଏହି ପତ୍ରରେ ଦର୍ଶାଯାଇଛି- ବିଶ୍ବର ଅନ୍ୟତମ ପ୍ରମୁଖ ସହର ମିଲାନ ଏବେ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଯେଉଁମାନେ ବାରଣ ନମାନି ଘରୁ ବାହାରୁଛନ୍ତି ସେମାନଙ୍କୁ ପୁଲିସ ଗିରଫ୍‌ କରୁଛି। ମିଲାନରେ ସବୁକିଛି ଅଚଳ ହୋଇଯାଇଛି। ପ୍ରାଚୁର୍ଯ୍ୟରେ ଭରପୂର ଏକ ଚଳଚଂଚଳ ସହର ହଠାତ ଭୂତ ସହର ପାଲଟିଯାଇଛି। ଯେଭଳି ପୃଥିବୀ ଧ୍ବଂସ ଆଡ଼କୁ ଗତି କରୁଛି, ସେଭଳି ସ୍ଥିତି ଏହି ସହରରେ ଅନୁଭୂତ ହେଉଛି। ଏହି ସହରରେ ଜନତା ଦୁଃଖ, ହତାଶା ଓ ଉଦ୍‌ବେଗ ଭିତରେ ବଞ୍ଚିଛନ୍ତି। ସେମାନେ ଜାଣିପାରୁନାହାନ୍ତି ସେମାନଙ୍କ ଭବିଷ୍ୟତ କୁଆଡ଼େ ଯାଉଛି। ଏହି ସହରରେ କରୋନା ବ୍ୟାପିବା ଯେତେବେଳେ ଆରମ୍ଭ କଲା ଲୋକେ ଆଦୌ ବ୍ୟସ୍ତ ନହୋଇ ସେମାନଙ୍କ ସ୍ବାଭାବିକ ଜୀବନ ଧାରା ଜାରି ରଖିଥିଲେ। ‘ଏହି ଭୁଲ୍‌ ଏବେ ଘାତକ ସାବ୍ୟସ୍ତ ହୋଇଛି ଏବଂ କରୋନା ଭାଇରସ୍‌ ଏଠାରେ ଗଣ ସଂକ୍ରମଣର ରୂପ ନେଇଛି। ଆମେ ଭୁଲ କରି ଭୋଗିଲୁ, ତୁମେ ବେଳହୁଁ ସତର୍କ ହେବାକୁ ପଡ଼ିବ’ ବୋଲି ପତ୍ରରେ କୁହାଯାଇଛି। ଏବେ ଏଠାରେ ପ୍ରତିଦିନ ୨ ଶହରୁ ଅଧିକ ଲୋକ କରୋନା ମୃତ୍ୟୁର ଶିକାର ହେଉଛନ୍ତି। ଯେତେବେଳେ ସଂକ୍ରମଣ ପ୍ରାଥମିକ ପର୍ଯ୍ୟାୟରେ ଥିଲା, ସେତେବେଳେ ଯଦି ଯୁଦ୍ଧକାଳୀନ ଭିତ୍ତିରେ କଟକଣା ଲାଗୁ କରାଯାଇଥାନ୍ତା ଏବଂ ଚଳପ୍ରଚଳ ବାରଣ କରାଯାଇଥାନ୍ତା ତା’ହେଲେ ଏଭଳି ପରିସ୍ଥିତି ଆସି ନଥାନ୍ତା। ଏବେ ବି ବିଶ୍ବକୁ ରକ୍ଷା କରିବା ପାଇଁ ସମୟ ଅଛି। ତେଣୁ ଅଧିକ ବିଳମ୍ବ ହେବା ପୂର୍ବରୁ ବିଶ୍ବ ଜାଗ୍ରତ ହୋଇ ପୂର୍ବ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଇଟାଲିରୁ ଆସିଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର