ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବୁଧବାର କହିଛି ଯେ ସୋସିଆଲ ମିଡିଆ ଆପ୍ ଟେଲିଗ୍ରାମରେ ଲିକ୍ ହୋଇଥିବା ନିଟ୍-ୟୁଜି ପ୍ରଶ୍ନପତ୍ରର ଫଟୋ ଦେଖାଉଥିବା ଭାଇରାଲ ଭିଡିଓ ନକଲି। ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି ଏନ୍‌ଟିଏ କହିଛି ଯେ ଲିକ୍ ହେବାର ମିଥ୍ୟା ଧାରଣା ସୃଷ୍ଟି କରିବା ପାଇଁ ଫଟୋର ଟାଇମଷ୍ଟାମ୍ପ୍‌ରେ ହେରଫେର କରାଯାଇଥିଲା। ଜୁଲାଇ ୮ ତାରିଖରେ ସୁପ୍ରିମ୍‌କୋର୍ଟ ଏନ୍‌ଟିଏକୁ ପ୍ରଶ୍ନପତ୍ର ଲିକ୍‌ର ପରିମାଣ ଏବଂ ଅସତ୍‌ ଉପାୟଧାରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବାର ସମ୍ଭାବନା ସମ୍ପର୍କରେ ଜବାବ ଦାଖଲ କରିବାକୁ କହିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଏନ୍‌ଟିଏ ଓ ସିବିଆଇଠାରୁ ତଥ୍ୟ ମାଗିଥିଲେ ଏବଂ କହିଥିଲେ ଯେ ଅସାଧୁ ଛାତ୍ରଙ୍କୁ ସଚ୍ଚୋଟ ପ୍ରାର୍ଥୀଙ୍କଠାରୁ ଅଲଗା କରିବା ସମ୍ଭବ ନ ହେଲେ ପୁନଃପରୀକ୍ଷା କରିବାକୁ ପଡ଼ିବ।

Advertisment

ବୁଧବାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଦା କହିଥିଲେ ଯେ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଆପ୍ ଜରିଆରେ ପ୍ରଶ୍ନପତ୍ର ପ୍ରସାରିତ ହୋଇଥିଲା। ତେବେ ଏନ୍‌ଟିଏ ତାଙ୍କ ସତ୍ୟପାଠରେ କହିଛି ଯେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋଗୁଡ଼ିକ ସମ୍ପାଦିତ ଓ ନକଲି। ଏହି ଭିଡିଓରେ ମେ ୪ ତାରିଖରେ ଟେଲିଗ୍ରାମରେ ଲିକ୍ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ରର ଏକ ଫଟୋ ଦେଖିବାକୁ ମିଳୁଛି, କିନ୍ତୁ ସମ୍ପାଦିତ ହୋଇଥିବା ଗୋଟିଏ ଫଟୋ ୨୦୨୪ ମେ ୫ ତାରିଖ ରାତି ୧୭ଟା ୪୦ ମିନିଟ୍‌ର ଟାଇମ୍‌ଷ୍ଟାମ୍ପରେ ପ୍ରଦର୍ଶିତ ହୋଇଛି। ପ୍ରାରମ୍ଭିକ ଲିକ୍‌ର ମିଥ୍ୟା ଧାରଣା ସୃଷ୍ଟି କରିବା ପାଇଁ ଟାଇମ୍‌ଷ୍ଟାମ୍ପ୍‌ରେ ହେରଫେର କରାଯାଇଥିଲା ବୋଲି ଏନ୍‌ଟିଏ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ପ୍ରଶ୍ନପତ୍ରର ଗୋପନୀୟ ମୁଦ୍ରଣ, ଏହାର ପରିବହନ ଓ ବିତରଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବା ଏନ୍‌ଟିଏ ଏହାର ସତ୍ୟପାଠରେ କହିଛି, ଏହା ସୂଚାଉଛି ଯେ ମାର୍କ ବଣ୍ଟନ ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ଏହାକୁ ପ୍ରଭାବିତ କରିବା ପାଇଁ କୌଣସି ବାହ୍ୟ କାରଣ ନାହିଁ।

୧୮ରେ ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ଆବେଦନର ଶୁଣାଣି ଜୁଲାଇ ୧୮ରେ ହେବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜୁଲାଇ ୮ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହାର ତର୍ଜମା କରାଯାଉଛି। କେତେକ ଆବେଦନକାରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ କେନ୍ଦ୍ର ଓ ଏନ୍‌ଟିଏ ଦ୍ୱାରା ଦାଖଲ ସତ୍ୟପାଠ ଏପର୍ଯ୍ୟନ୍ତ ପାଇନଥିବାରୁ ଶୁଣାଣି ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସୁପ୍ରିମ୍ କୋର୍ଟ ବର୍ତ୍ତମାନ ନିଟ୍-ୟୁଜି ୨୦୨୪କୁ ନେଇ ଅନେକ ପିଟିସନର ଶୁଣାଣି କରୁଛନ୍ତି, ଯେଉଁଥିରେ ମେ ୫ ପରୀକ୍ଷା ସମୟରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ରହିଛି। ପ୍ରଶ୍ନପତ୍ର ଲିକ୍, ଓଏମ୍ଆର୍ ସିଟ୍ ଟାମ୍ପରିଂ ଏବଂ ବିଭିନ୍ନ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଉପୁଜିଛି। ଏହି ଅନିୟମିତତା ପରୀକ୍ଷାର ପବିତ୍ରତାକୁ ଭୀଷଣ କ୍ଷତି ପହଞ୍ଚାଇଛି ଏବଂ ବହୁ ସଂଖ୍ୟକ ଯୋଗ୍ୟ ଛାତ୍ରଛାତ୍ରୀ ଏହାର ଶିକାର ହୋଇଛନ୍ତି ବୋଲି ଆବେଦନକାରୀମାନେ ଦାବି କରିଛନ୍ତି।

ଅପରପକ୍ଷରେ ବଡ଼ ଧରଣର ଦୁର୍ନୀତିର କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ନିଟ୍-ୟୁଜି ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛି ଯେ ପରୀକ୍ଷାରେ ମାର୍କ ବଣ୍ଟନ ଏକ ସ୍ୱାଭାବିକ ଢାଞ୍ଚାକୁ ପ୍ରତିଫଳିତ କରୁଛି, ଯାହା କୌଣସି ବାହ୍ୟ ପ୍ରଭାବ ସୂଚାଉନାହିଁ। ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ପ୍ରଶ୍ନପତ୍ର ଛାପା, ପରିବହନ ଏବଂ ବିତରଣ ପାଇଁ ଏନ୍‌ଟିଏ ଏହାର ସୁରକ୍ଷା ପ୍ରୋଟୋକଲ ସଂପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପରୀକ୍ଷାର ସ୍ବଚ୍ଛତାରେ ସମ୍ଭାବ୍ୟ ଉଲ୍ଲଂଘନକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଗତ ଜୁଲାଇ ୮ ତାରିଖରେ ହୋଇଥିବା ଶୁଣାଣି ବେଳେ କୋର୍ଟ ଅଭିଯୋଗର ଗମ୍ଭୀରତା ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ପରେ ଶିକ୍ଷା ମନ୍ତ୍ରଣାଳୟ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକଙ୍କୁ ନିଟ୍-ୟୁଜି ୨୦୨୪ ଫଳାଫଳର ବ୍ୟାପକ ତଥ୍ୟ ବିଶ୍ଳେଷଣ କରିବାକୁ ଅନୁରୋଧ କରିଥିଲେ।