ନୂଆଦିଲ୍ଲୀ: ରାସ୍ତାକଡ଼ର ଗୁପ୍‌ଚୁପ୍‌ ବା ଷ୍ଟ୍ରିଟ୍‌ ଷ୍ଟାଇଲ୍‌ ଗୋଲଗପ୍ପା ପ୍ରତି ଆମର ଭଲପାଇବା କେବେ ବି ଉଣା ହୋଇ ନଥାଏ। ଆମେ ଦିନର ଯେ କୌଣସି ସମୟରେ, ଯେ କୌଣସି ଦିନ ଗୁପ୍‌ଚୁପ୍‌ ବା ଗୋଲଗପ୍ପା ଖାଇବାକୁ ଆଗ୍ରହ ପ୍ରକାଶ କରୁ। ଆଳୁ, ଚଣା ଓ ଚଟଣୀ ଏବଂ ମସଲାଯୁକ୍ତ ପାଣିରେ ଭର୍ତ୍ତି ହୋଇଥିବା ଛୋଟ କ୍ରିସ୍ପି ପୁରୀ ଖୋଳର ଲିପ୍‌-ସ୍ମାକିଂ ମିଶ୍ରଣ ଗୁପ୍‌ଚୁପ୍‌କୁ ସାଧାରଣତଃ ଆମେ ରାସ୍ତା କଡ଼ରେ ଠେଲାରେ କିମ୍ବା ବିବାହ ଭୋଜିର ଅଂଶ ଭାବରେ ଉପଭୋଗ କରିଥାଉ।

Advertisment

ତେବେ କର୍ମକ୍ଷେତ୍ର କିମ୍ବା ଘରକୁ ଯିବା ସମୟରେ ଗୁପ୍‌ଚୁପ୍‌ର ମଜା ନେଇପାରିବେ କି? ନିକଟରେ ଜଣେ ବ୍ୟକ୍ତି ଏକ ସୁଯୋଗ ଦେଖି ଚଳନ୍ତା ଟ୍ରେନରେ ଗୁପ୍‌ଚୁପ୍‌ ବିକ୍ରି କରିବା ଆରମ୍ଭ କରିଥିଲେ। ଟ୍ରେନ୍‌ରେ ଗୁପ୍‌ଚୁପ୍‌ ବିକ୍ରିର ଏହି ଭିଡିଓକୁ ଜଣେ ଲୋକପ୍ରିୟ ଫୁଡ୍‌ ବ୍ଲଗର୍‌ ସାଗର ତାଙ୍କ ଟ୍ଵିଟର ହାଣ୍ଡେଲରେ ପୋଷ୍ଟ କଲାପରେ ଏହା ବର୍ତ୍ତମାନ ଭାଇରାଲ ହୋଇଯାଇଛି। ଏହାକୁ ୪୦୫ ହଜାରରୁ ଅଧିକ ଭ୍ୟୁଜ୍‌ ଏବଂ ୪.୯ ହଜାର ଲାଇକ୍‌ ମିଳିସାରିଛି। କ୍ୟାପସନରେ ସେ ଲେଖିଛନ୍ତି, ‘ଯେତେବେଳେ ଆପଣ ଆପଣଙ୍କ ବ୍ୟବସାୟିକ ମନକୁ ସଠିକ୍‌ ମାର୍ଗରେ ରଖିବେ’। ୧୪ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ଜଣେ ଗୁପ୍‌ଚୁପ୍‌ ବିକ୍ରେତା ଲୋକାଲ ଟ୍ରେନ୍‌ ମଝିରେ ଦୋକାନ ଖୋଲିଥିଲେ। ଗୋଟିଏ ଟେବୁଲ, ଅନେକ ପାନିପୁରୀ ଏବଂ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସେଥିରେ ଭର୍ତ୍ତିକରି ସେ ଥକି ଯାଇଥିବା ଯାତ୍ରୀମାନଙ୍କୁ ଗୁପ୍‌ଚୁପ୍‌ ବିକ୍ରି କରି ଦ୍ରୁତ ବ୍ୟବସାୟ କରୁଥିଲେ।

ଟ୍ଵିିଟର ବ୍ୟବହାରକାରୀମାନେ ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ନ ଦେଇ ରହିପାରି ନଥିଲେ। ଚଳନ୍ତା ଟ୍ରେନରେ ଗୁପ୍‌ଚୁପ୍‌ ବିକ୍ରି କରିବାର ବ୍ୟବସାୟିକ ସୁଯୋଗ ଦେଖି ସେମାନଙ୍କ ମଧ୍ୟରୁ ଅନେକ ଗୁପ୍‌ଚୁପ୍‌ ବିକ୍ରେତାଙ୍କୁ ପ୍ରଶଂସା କରିଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି, ଯୋଗାଣ ଚାହିଦାକୁ ସର୍ବୋତ୍ତମ ଭାବରେ ପୂରଣ କରୁଛି। କେହି କେହି ଏହା ମଧ୍ୟ ଭାବିଥିଲେ ଯେ ଯଦି ଟ୍ରେନ୍‌ ଝଟକାରେ ଅଟକିଯାଏ ତେବେ ଗୁପ୍‌ଚୁପ୍‌ ଭାଙ୍ଗିଯିବ।

ତେବେ, ଏହା ଏକମାତ୍ର ଘଟଣା ନୁହେଁ, ପାଣି ପୁରୀ ବା ଗୁପ୍‌ଚୁପ୍‌ ବା ଗୋଲଗପ୍ପା ସବୁବେଳେ ଚର୍ଚ୍ଚାରେ ରହିଛି। ନିକଟରେ ମାଷ୍ଟରସେଫ୍‌ ଅଷ୍ଟ୍ରେଲିଆର ଜଣେ ପ୍ରତିଯୋଗୀ ଗୋଲଗପ୍ପାକୁ ଏକ ଟୁଇଷ୍ଟ ଦେଇ ଏହାକୁ ପାଣି ପୁରୀର ‘ମେକ୍ସିକାନ’ ସଂସ୍କରଣ ବୋଲି କହିଛନ୍ତି।