ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମୁମ୍ବାଇର ଦୁଇଜଣ ଓକିଲ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ‘ସନାତନ ଧର୍ମ’କୁ ଅପମାନିତ କରିବା ଅଭିଯୋଗରେ ଘାଟକୋପର ଥାନାରେ ଅଭିଯୋଗ କରିଛନ୍ତି। ଆଇନଜୀବୀ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ଦ୍ୱାରା ଦାୟର କରାଯାଇଥିବା ଅଭିଯୋଗରେ ରଣବୀର କପୁରଙ୍କ ଏକ ଭାଇରାଲ ଭିଡିଓ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସେ କେକ୍ ଉପରେ ମହମବତି ଜାଳି ‘ଜୟ ମାତା ଦି’ କହୁଥିବା ବେଳେ ଅନ୍ୟ ଜଣେ ମଦ ଢାଳୁଥିବା ଦେଖିବାକୁ ମିଳିଛି।
କୁନାଲ କପୁରଙ୍କ ବାସଭବନରେ ବାର୍ଷିକ ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନରେ ରଣବୀର କପୁର ତାଙ୍କ ପରିବାର ସହ ନଜର ଆସିଥିଲେ। ରଣବୀର କପୁର ଓ ତାଙ୍କ ପରିବାର ଖ୍ରୀଷ୍ଟମାସ କେକ୍ ସାମ୍ନାରେ ବସିଥିବା ବେଳେ ଚଳିତ ବର୍ଷ ‘ଫରାଜ’ ଜରିଆରେ ଡେବ୍ୟୁ କରିଥିବା ଜାହାଁ କପୁର ଏହା ଉପରେ ମଦ ଢାଳୁଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି। ଏହା ପରେ କେକ୍ ଉପରେ ମହମବତି ଜାଳି ରଣବୀର କପୁର ‘ଜୟ ମାତା ଦି’ ବୋଲି କହିଥିଲେ।

Advertisment

କପୁର ଓ ତାଙ୍କ ପରିବାର ସଦସ୍ୟ ଜାଣିଶୁଣି ହିନ୍ଦୁଧର୍ମରେ ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବହାର କରି ଅନ୍ୟ ଧର୍ମର ପର୍ବ ପାଳନ କରିବା ସମୟରେ ‘ଜୟ ମାତା ଦି’ ଉଚ୍ଚାରଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏଭଳି ଆପରାଧିକ କାର୍ଯ୍ୟ ଅଭିଯୋଗକାରୀ ଓ ସନାତନଧର୍ମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। ଆଇନଜୀବୀମାନେ ଦୃଢୋକ୍ତି କରିଛନ୍ତି ଯେ ଏଭଳି ଉତ୍ତେଜନାଜନକ ଭିଡିଓ ପ୍ରସାରଣ ଦ୍ୱାରା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ। କପୁରଙ୍କ ଓ ତାଙ୍କ ପରିବାର ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବାକୁ ଅଭିଯୋଗରେ ଦାବି କରାଯାଇଛି। ତେବେ କପୁର ପରିବାର ବିରୋଧରେ ଏପର୍ଯ୍ୟନ୍ତ କୌଣସି ଏଫ୍‌ଆଇଆର୍‌ ରୁଜୁ ହୋଇନାହିଁ।