ବିଲାସପୁର: ରାତି ଅଧରେ ପ୍ରେମିକାକୁ କୋଳରେ ବସାଇ ବୁଲାଇବା ମହଙ୍ଗା ପଡ଼ିଲା। ଭିଡିଓ ଭାଇରାଲ ହେବା ପରେ ତଣ୍ଡ ଗଣିଲେ ଯୁବକ। ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ଘଟଣା। ଛତିଶଗଡର ବିଲାସପୁରରେ ରହୁଥିବା ଯୁବକ ନିଜେ ନିଜର ଏଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ହେଲେ ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ହେବ ବୋଲି ସେ ଜାଣିନଥିଲେ। ଭିଡିଓରେ ଯୁବକଜଣକ କୋଳରେ ନିଜ ପ୍ରେମିକାକୁ ବସାଇ ତାକୁ ଆଲିଙ୍ଗନ କରିବା ସହ ସ୍କୁଟି ଚଳାଉଥିବା ଦେଖାଯାଇଛି।
ସୂଚନା ମୁତାବକ, ଘଟଣାଟି ବୁଧବାର ରାତି ୨ଟାରେ ଘଟିଥିଲା। ଦୁହେଁ ସିଭିଲ୍ ଲାଇନ୍ ଅଞ୍ଚଳର ରଘୁରାଜ୍ ଷ୍ଟାଡିୟମ୍, ଇମିଲିପାରା ରାସ୍ତା, ଟିକ୍ରାପରା ଯାଦବ ଅଞ୍ଚଳ ଦେଇ ଶିବ ଟକିଜ୍ ଆଡ଼କୁ ଯାଇଥିଲେ। ପଛରେ ଆଉ ଏକ ବାଇକରେ ଥିବା ଯୁବକଜଣକ ଦୁହିଁଙ୍କର ଭିଡିଓ ରେକର୍ଡ କରିଥିଲେ। ଭାଇରାଲ ହେବା ନିଶାରେ ଭିଡିଓକୁ ଅଭିଯୁକ୍ତ ସୋସିଆଲ ମିଡିଆରେ ଛାଡ଼ିଥିଲେ, ହେଲେ କଥା ଯାଇ ପୁଲିସ ପାଖରେ ପହଞ୍ଚିବ ବୋଲି ତାଙ୍କୁ ଜଣାନଥିଲା।
ଭିଡିଓଟି ଭାଇରାଲ ହେବା ପରେ ପ୍ରଥମେ ବିଲାସପୁର ପୁଲିସ ଯୁବକଙ୍କୁ ଖୋଜିବା ସହ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଏହା ସହିତ ଯୁବକ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇଥିଲେ ଯେ ସେ ଆଉ ଏପରି ଭୁଲ କେବେ ବି କରିବେ ନାହିଁ। ଏସବୁ ସତ୍ତ୍ବେ ମୋଟର ଯାନ ଅଧିନିୟମ ଅନୁଯାୟୀ ଟ୍ରାଫିକ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଏଭଳି ରାସ୍ତାରେ ବିନା ହେଲମେଟରେ ଗାଡ଼ି ଚଳାଇବାକୁ ନେଇ ଟ୍ରାଫିକ ପୁଲିସ ପ୍ରେମିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭିଡିଓକୁ ଆଧାର କରି ପ୍ରେମିକ ଉପରେ ୮୮୦୦ ଜରିମାନା ଲଗାଇଛି ପୁଲିସ।