ମୁମ୍ବାଇ: ୫ମିନିଟ ଭିତରେ ଉଜୁଡ଼ିଗଲା ପରିବାର। ଲଗାଣ ବର୍ଷା ସାଜିଲା ଶତ୍ରୁ। ଝିଅର ଜନ୍ମଦିନ ପାଇଁ ଖୁସି ମନାଉଥିବା ପରିବାରର ଖୁସି ନିମିଷକେରେ ଉଭେଇ ଗଲା। ଏବେ ରହିଯାଇଛି ସେହି ଶେଷ ଫଟୋ ଓ ପୁଳାଏ ସ୍ମୃତି। ବୁଧବାର ଗଣେଶ ପୂଜା ଅବସରରେ ବିରାରରେ ଏକ ଆପାର୍ଟମେଣ୍ଟ ଭୁଶୁଡ଼ିବା ଭଳି ଭୟଙ୍କର ଦୁର୍ଘଟଣା ଏପର୍ଯ୍ୟନ୍ତ ୧୫ ଜଣଙ୍କ ଜୀବନ ନେଇସାରିଛି। ଏହି ଦୁଃଖଦ ଦୁର୍ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଏନଡିଆରଏଫର ୫ମ ବାଟାଲିୟନର ଦୁଇଟି ଦଳ, ବସାଇ-ବିରାର ମ୍ୟୁନିସିପାଲ କର୍ପୋରେସନର ଦଳ ଏବଂ ସ୍ଥାନୀୟ ପୁଲିସ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏମଧ୍ୟରେ ଭୁଶୁଡ଼ିଥିବା ଆପର୍ଟମେଣ୍ଟରୁ ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ବିରାର (ପୂର୍ବ)ର ବିଜୟ ନଗରରେ ଥିବା ଜୋୟାଲ ପରିବାର ସେମାନଙ୍କ ଝିଅ ଉତ୍କର୍ଷାର ପ୍ରଥମ ଜନ୍ମଦିନ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଜନ୍ମଦିନ ପାଳନ ପାଇଁ ପରିବାର ଘର ସଜାଇଥିଲେ, କେକ୍ କାଟିଥିଲେ ଏବଂ ଖୁସିର ମୁହୂର୍ତ୍ତଗୁଡ଼ିକୁ ଫଟୋରେ କଏଦ କରିଥିଲେ ଏବଂ ଫଟୋଗୁଡ଼ିକୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ପଠାଇଥିଲେ। କିନ୍ତୁ କେକ୍ କାଟିବାର ମାତ୍ର ପାଞ୍ଚ ମିନିଟ୍ ପରେ, ରମାବାଇ ଆପାର୍ଟମେଣ୍ଟର ପଛ ଭାଗ ଭୁଶୁଡି ପଡ଼ିଥିଲା। ଏହି ଦୁର୍ଘଟଣାରେ ଉତ୍କର୍ଷା ଏବଂ ତାଙ୍କ ମା’ ଆରୋହୀ ଜୋୟାଲଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ପିତା ଓମକାର ଜୋୟାଲଙ୍କ କୌଣସି ପତ୍ତା ମିଳିନାହିଁ ବୋଲି କୁହାଯାଉଛି।
ଦୁର୍ଘଟଣା ପରେ ତୁରନ୍ତ, ଏନଡିଆରଏଫ ଦଳ ପହଞ୍ଚିବା ପୂର୍ବରୁ, ସ୍ଥାନୀୟ ନାଗରିକମାନେ ସାହସ ଦେଖାଇ ସାତ ଜଣଙ୍କୁ ଭଗ୍ନାବଶେଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି, ଯେଉଁମାନଙ୍କୁ ବିରାର ଏବଂ ନାଲାସୋପାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବସାଇ-ବିରାର ସହରରେ ବେଆଇନ ଏବଂ ଅନଧିକୃତ କୋଠାଗୁଡ଼ିକର ଜାଲ ନିରନ୍ତର ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ଏହା ପ୍ରଥମ ଦୁର୍ଘଟଣା ନୁହେଁ। ୧୫ଦିନ ପୂର୍ବରୁ ମଧ୍ୟ ଏକ ବେଆଇନ ନିର୍ମାଣରେ କାଚ ସ୍ଲାବ୍ ପଡ଼ିବା ଯୋଗୁଁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ଏକେ ଲୋକେ ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ମନ୍ଥର କାର୍ଯ୍ୟ ଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/28/new-project-1-2025-08-28-11-04-22.jpg)