ନୂଆଦିଲ୍ଲୀ: ଇନଷ୍ଟା ପୋଷ୍ଟରୁ ଭାରତୀୟ କ୍ରିକେଟ୍ ଟିମ୍ର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କରୁଥିବା ଆୟକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି। ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଖେଳ ଅପେକ୍ଷା ଇନଷ୍ଟା ପୋଷ୍ଟରୁ ତା’ଠାରୁ ଅଧିକ ଟଙ୍କା ରୋଜଗାର କରନ୍ତି ବିରାଟ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରୁ ସେଲିବ୍ରିଟିମାନେ କେତେ ରୋଜଗାର କରନ୍ତି, ତାହାର ଏକ ତାଲିକା ଇନଷ୍ଟାଗ୍ରାମ ସିଡ୍ୟୁଲିଂ ଟୁଲ୍ ହପର୍ ହେଡକ୍ବାର୍ଟର ଦ୍ୱାରା ପ୍ରକାଶ କରାଯାଇଥିଲା।
ପ୍ରକାଶ ପାଇଥିବା ତାଲିକାରେ ଦାବି କରାଯାଇଥିଲା ଯେ, ବିରାଟ ତାଙ୍କର ପ୍ରତି ଇନଷ୍ଟା ପୋଷ୍ଟରୁ ୧୧.୪୫କୋଟି ଟଙ୍କା ଆୟ କରନ୍ତି। ଏବେ ଏହି ସୂଚନା ସତ ନୁହେଁ ବୋଲି କହିଛନ୍ତି ବିରାଟ। ଏକ୍ସ(ଟ୍ବିଟର)ରେ ବିରାଟ ଲେଖିଛନ୍ତି ଯେ, ମୁଁ ଜୀବନରେ ଯାହା ପାଇଛି ସେଥିପାଇଁ କୃତଜ୍ଞ ଏବଂ ଋଣୀ, କିନ୍ତୁ ମୋ ରୋଜଗାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଖବର ସତ୍ୟ ନୁହେଁ।
While I am grateful and indebted to all that I’ve received in life, the news that has been making rounds about my social media earnings is not true. 🙏
— Virat Kohli (@imVkohli) August 12, 2023
ବିରାଟ ପ୍ରତି ପୋଷ୍ଟରୁ କେତେ ଟଙ୍କା ଆୟ କରନ୍ତି? ଦିଆଯାଇଥିବା ତଥ୍ୟଠାରୁ ତାହା କମ ନା ଅଧିକ ସେ ବିଷୟରେ କ୍ରିକେଟର ଜଣାଇନାହାନ୍ତି। ତେବେ ଇନଷ୍ଟାଗ୍ରାମ ସିଡ୍ୟୁଲିଂ ଟୁଲ୍ ହପର୍ ହେଡକ୍ବାର୍ଟର ଦ୍ୱାରା ପ୍ରକାଶ କରାଯାଇଥିବା ତାଲିକାରେ ୧ନଂରେ ଥିଲେ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋ। ସେ ପ୍ରତି ଇନଷ୍ଟା ପୋଷ୍ଟରୁ ୨୬କୋଟି ଟଙ୍କା ଆୟ କରୁଥିବା ଏହି ତାଲିକାରେ ଦାବି କରାଯାଇଥିଲା। ଦ୍ବିତୀୟ ନମ୍ବରରେ ଥିଲେ ଲିୟୋନେଲ ମେସି। ସେ ପ୍ରତି ଇନଷ୍ଟା ପୋଷ୍ଟରୁ ୨୧.୫୨କୋଟି ଟଙ୍କା ଆୟ କରୁଥିବା କୁହାଯାଇଥିଲା। ତେବେ ବିରାଟ ନିଜ ଆୟକୁ ନେଇ ସ୍ପଷ୍ଟ କରିଥିବା ବେଳେ ରୋନାଲ୍ଡୋ ଓ ମେସି କୌଣସି ପ୍ରତିକ୍ରିୟା ରଖିନାହାନ୍ତି।