‘‘…ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ..’’

ନୂଆଦିଲ୍ଲୀ : କୋହଲି ଜଣେ ସର୍ବକାଳୀନ ବିରାଟ ଖେଳାଳି। ଉଚ୍ଚ ଶତକ ହାର ପାଇଁ ତଥା ପଶ୍ଚାତଧାବନରେ ବହୁ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ଅନେକ ତ ତାଙ୍କୁ ସଚିନଙ୍କଠାରୁ ମଧ୍ୟ ବଡ଼ ବ୍ୟାଟସମ୍ୟାନ ଭାବନ୍ତି। ହେଲେ ବିଶ୍ବର କୋଟିକୋଟି କ୍ରିକେଟପ୍ରେମୀ ବିଶେଷ କରି ଅଗଣିତ ଦେଶବାସୀ ଗତ ଦୁଇବର୍ଷ ହେଲା ତାଙ୍କ ଫର୍ମକୁ ନେଇ ଚିନ୍ତିତ। ଶହେରୁ ଅଧିକ ମ୍ୟାଚ୍ ଗଲାଣି, କିନ୍ତୁ କୋହଲି ଆଉ ଶତକ କରିପାରୁନାହାନ୍ତି। ଚଳିତ ଆଇପିଏଲ୍‌ରେ ତାଙ୍କ ପ୍ରଦର୍ଶନ ତ ଆହୁରି ନୈରାଶ୍ୟଜନକ ହୋଇଚାଲିଛି। ଏପରି ଦୁଃସମୟରେ ସାଧାରଣତଃ ଖେଳାଳିମାନେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ତ ଦୂରର କଥା, ସବୁଥିରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରନ୍ତି। କୋହଲି କିନ୍ତୁ ଭିନ୍ନ ଉପାଦାନରେ ଗଢ଼ା ଚମତ୍କାର ମଣିଷଟିଏ। ସୁଯୋଗ ପାଇଲେ ଆଚ୍ଛାଆଚ୍ଛା ଲୋକଙ୍କ ବ୍ୟାଣ୍ଡ ବଜାଉଥିବା ମିଷ୍ଟର ନାଗ୍‌ଙ୍କ ଭଳି ଜଣେ ମଜାଳିଆ ଉପସ୍ଥାପକଙ୍କୁ ମଧ୍ୟ ସାମନା କରିବାକୁ ପଛେଇନାହାନ୍ତି କୋହଲି। ସ୍ବଭାବଗତ ମାନସିକ ଦୃଢ଼ତା ଭିତରେ ବି କୋହଲିଙ୍କ ପରି ଜଣେ ବିରାଟ ଖେଳାଳି କିପରି ଭିତରେ ଭିତରେ ଭାଙ୍ଗିପଡ଼ନ୍ତି ତାହା ଉକ୍ତ ହାସ୍ୟରୋଳପୂର୍ଣ୍ଣ ସାକ୍ଷାତକାର ବେଳେ ବାରିହୋଇପଡ଼ୁଛି।

ପ୍ରଥମରୁ କୋହଲି କ୍ଲିନ୍ ବୋଲ୍‌ଡ: ପ୍ରଶ୍ନ ଥିଲା, ଶୁଣିଛି ପୋଷା ଜୀବଜନ୍ତୁ ତୁମର ବଡ଼ ପ୍ରିୟ। ଏବେ ଘରେ ସେଥିରୁ କେତୋଟି ଅଛନ୍ତି? କୋହଲି କହନ୍ତି, ସେମାନଙ୍କ ଯତ୍ନ ନେବାପାଇଁ ସମୟ ହେଉନାହିଁ। ତେଣୁ ରଖିନାହିଁ। ପ୍ରଶ୍ନକର୍ତ୍ତା ଆହୁରି ଚାଲାକ୍। କହିଲେ, ତମେ ତ ଏଇ କିଛିଦିନ ଭିତରେ ଦୁଇଟା ‘ଡକ୍’ (ବତକ) ରଖିଛ! ଏହାର ଅର୍ଥ କୋହଲି ଠିକ୍ ବୁଝିଗଲେ। ମୁରୁକି ମୁରୁକି ହସୁଥା’ନ୍ତି, ଅଥଚ ହାତ ପାପୁଲିରେ ନିଜ ମୁହଁ ଲୁଚାଉଥା’ନ୍ତି। ‌ଯେତେ ଅସ୍ବସ୍ତିକର ହେଲେ ମଧ୍ୟ ଆଙ୍କରଙ୍କ ସହ ସ୍ବର ମିଳାଇ ଗୀତ ବୋଲିଲେ, ‘‘…ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ..।’’ ଏପରି ଦୁର୍ବଳ ଫର୍ମ ସମୟରେ ସାଥୀ ଖେଳାଳି ସହଯୋଗ କରୁଛନ୍ତି ନା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ କହନ୍ତି, ‘‘ମୋ ଦାୟିତ୍ବ ଅନ୍ୟ କେହି ତୁଲାଇବା ସମ୍ଭବ ନୁହେଁ। ଜୀବନର ଏହି ମୁହୂର୍ତ୍ତଗୁଡ଼ିକୁ ମୋତେ ହିଁ ଯୁଝିବାକୁ ହେବ। ତେବେ ମୋ ସୁଦୀର୍ଘ କ୍ୟାରିୟରରେ ଅନେକ ଭଲକଥା ହୋଇଥିଲା। ସ୍ବାଭାବିକ ଭାବେ ଏବେ ଖରାପ କଥାଗୁଡ଼ିକର ପାଳି ପଡ଼ିଛି। ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମରେ ଦିଆଯାଉଥିବା ମତମନ୍ତବ୍ୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛି।’’ ଏହି ଅବସରରେ ସାଥୀ ଖେଳାଳି ଏବି ଡି’ଭିଲିୟର୍ସ, ଫାପ୍ ଡୁ’ପ୍ଲେସିସ୍ ପ୍ରମୁଖଙ୍କୁ କୋହଲି ଖୁବ୍ ପ୍ରଶଂସା କରିଥିଲେ।

ଆଉ ଦୁଇଟି ପ୍ରଶ୍ନରେ କାରୁଣ୍ୟମିଶା ସମ୍ଭ୍ରମତା ଓ ସ୍ପଷ୍ଟବାଦିତା ଦେଖିବାକୁ ମିଳିଥିଲା। ନାଗ୍ ପ୍ରଶ୍ନ କଲେ, ଅଧିନାୟକ ଥିବାବେଳେ ସିଙ୍ଗିଲ୍ ରୁମ୍ ପାଉଥିଲ। ଏବେ ଅନ୍ୟ ଜଣଙ୍କ ସହ ସେୟାର୍ କରିବାର ଅନୁଭୂତି କେମିତି? ସ୍ବାଧୀନତାର ଅର୍ଥ ଆମ ଦୁହିଁଙ୍କ ପାଇଁ କ’ଣ, ତାକୁ କାଗଜରେ ଆମକୁ ସ୍କେଚ୍ କରି ଦେଖାଇବାକୁ ହେବ ବୋଲି କହିଲେ ଆଙ୍କର। ଏକ ବିଶାଳ ଧନରାଶିକୁ ଅଙ୍କରେ ଲେଖି ଆଗ କୋହଲିଙ୍କୁ ଦେଖାଇଲେ ଆଙ୍କର। ସେଇ ସମୟ ମଧ୍ୟରେ କୋହଲି ଆଙ୍କିଥା’ନ୍ତି ପାହାଡ଼ଗୁଡ଼ିକ ମଝିରୁ ବହିଯାଉଥିବା ଏକ ଝରଣା ଓ ତା’ପାଖ ନିଛାଟିଆ ସ୍ଥାନରେ ଏକ ସୁନ୍ଦର ଘର। ବାହାରେ ସେମାନେ ତିନିପ୍ରାଣୀ.. ସେ ନିଜେ, ପତ୍ନୀ ଅନୁଷ୍କା ଓ ସେମାନଙ୍କ କନ୍ୟା ସନ୍ତାନ।

ସମ୍ବନ୍ଧିତ ଖବର