କୋଲକାତା: କ୍ଷମତାକୁ ଫେରୁ ଫେରୁ ଏବେ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ରାଜ୍ୟରେ ଡିଜିପି ଓ ଏଡିଜିଙ୍କ ବଦଳି କରିଦେଇଛନ୍ତି । ଏହାସହ ରାଜ୍ୟରେ ହିଂସା ରୋକିବାକୁ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ନିର୍ବାଚନ ଆୟୋଗଙ୍କ ତରଫରୁ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ ଥିବା ନିରଜ ନୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି । ଆଉ ଏଡିଜି ଥିବା ଜଗମୋହନଙ୍କୁ ସିଭିଲ ଡିଫେନ୍ସକୁ ପଠାଇ ଦିଆଯାଇଛି ।
ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟରେ କରୋନା କଟକଣାକୁ ପୁଣି କଡାକଡି କରାଯାଇଛି । ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମମତା । ସେହିପରି ଲୋକାଲ ଟ୍ରେନ କାଲିଠୁ ବାତିଲ କରାଯିବ । ଏହାସହ ସକାଳ ୭ରୁ ୧୦ଟା ଯାଏ ଓ ସନ୍ଧ୍ୟା ୫ଟାରୁ ୭ଟା ଯାଏ ବଜାର ଖୋଲା ରହିବ ବୋଲି ଘୋଷଣା ହୋଇଛି । କୌଣସି ସାମାଜିକ ଓ ରାଜନୈତିକ ସଭାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ।
ଏହାସହ ରାଜ୍ୟର ନୂଆ ଡିଜିପି ଭାବେ ବିରେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏଡିଜି ଭାବେ ଜାବେଦ ସମିମଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟରେ ହେଉଥିବା ହିଂସାକୁ ତୁରନ୍ତ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ ।