ଭର୍ଚୁଆଲ କୋର୍ଟ  ବ୍ୟବସ୍ଥାକୁ ଜାରି ରଖିବାକୁ ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ

ନୂଆଦିଲ୍ଲୀ : କରୋନା ମହାମାରୀ ଆମ ନିତିଦିନିଆ ଜୀବନଯାପନକୁ କଷ୍ଟକର କରିଦେଇଛି । କିନ୍ତୁ ଏହି କଷ୍ଟକର ସମୟରେ ମଣିଷଜାତିକୁ ସହାୟ ହେଉଛି ଟେକନଲୋଜୀ । ଟେକନଲୋଜୀର ଉପଯୋଗ ଯୋଗୁଁ ହିଁ କରୋନା ବିରୋଧୀ ଯୁଦ୍ଧରେ ମଣିଷ ଦମ୍ଭର ସହ ଛିଡ଼ା ହୋଇଛି । ଟେକନଲୋଜୀ ଯୋଗୁଁ ଲୋକମାନଙ୍କୁ ଅଫିସ ନ ଯାଇ ଘରୁ କାମ କରିବାର ସୁବିଧା ମିଳିପାରୁଛି, ଘରେ ବସି ଡାକ୍ତରଙ୍କ ପରାମର୍ଶ ମିଳିପାରୁଛି, ଶିକ୍ଷକ ଶିକ୍ଷାଦାନ କରିପାରୁଛନ୍ତି । ଟେକନଲୋଜୀ ଦ୍ବାରା ଆମର ଆଉ ଏକ ସୁବିଧା ହେଉଛି । ତାହା ହେଉଛି କରୋନା ସମୟରେ ଟେକନଲୋଜୀର ଉପଯୋଗ ଦ୍ବାରା କୋର୍ଟ କାର୍ଯ୍ୟ ହୋଇପାରୁଛି ଓ ଲୋକେ ନ୍ୟାୟ ପାଇପାରୁଛନ୍ତି । ଏହା ଫଳରେ କୋର୍ଟଙ୍କ ବହୁ ମୂଲ୍ୟ ସମୟ ବଞ୍ଚିବା ସହ ନ୍ୟାୟପ୍ରଦାନ ତ୍ବରାନ୍ବିତ ହୋଇପାରୁଛି ।

ଏହାକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପରେ ବି ଭର୍ଚୁଆଲ କୋର୍ଟ (ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ) ବ୍ୟବସ୍ଥାକୁ ଜାରି ରଖିବାକୁ ଏକ ସଂସଦୀୟ ସ୍ଥାୟୀ କମିଟି ସରକାରଙ୍କୁ ସୁପାରିଶ କରିଛି । ଆଇନ ଓ ନ୍ୟାୟ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଉପାଧ୍ୟକ୍ଷ ଏମ.ଭେଙ୍କିଆ ନାଇଡୁଙ୍କୁ ଏହି ସୁପାରିଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ଏକ କୋଠାର ନାଁ ନୁହେଁ, ବରଂ ଏହା ଏକ ସେବା । ଏଣୁ କୋର୍ଟ ଟେକନଲୋଜୀକୁ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଡିଜିଟାଲ ଜଷ୍ଟିସ ଦ୍ବାରା କମ ଖର୍ଚ୍ଚରେ ଓ ଶୀଘ୍ର ନ୍ୟାୟ ମିଳିପାରୁଛି । ଏହା ଦ୍ବାରା ଦୂରସ୍ଥାନକୁ ସହଜରେ ନ୍ୟାୟ ପହଞ୍ଚାଯାଇପାରୁଛି । ଏଣୁ ଏହାକୁ ଜାରି ରଖାଯିବା ଆବଶ୍ୟକ ।

ସମ୍ବନ୍ଧିତ ଖବର