ୱାସିଂଟନ: ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷ ହାର୍ଭାର୍ଡ, ଟଫ୍ଟସ ଓ ଷ୍ଟାନ୍‌ଫୋର୍ଡ ଭଳି ପ୍ରମୁଖ କଲେଜରେ ଅଧ୍ୟୟନରତ ବିଦେଶୀ ନାଗରିକଙ୍କ ପାଇଁ ଛାତ୍ରଭିସା ରଦ୍ଦ କରିଛନ୍ତି। ଏହା ଉଭୟ ଛାତ୍ର ଓ ସାମ୍ପ୍ରତିକ ସ୍ନାତକମାନଙ୍କୁ ପ୍ରଭାବିତ କରିଛି। ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରୟାସ ଚାଲିଥିବା ବେଳେ ବୈଦେଶିକ ସଚିବ ମାର୍କୋ ରୁବିଓ ଗତ ମାସରେ କହିଥିଲେ ଯେ ଏଭଳି ୩୦୦ କିମ୍ବା ତା’ଠାରୁ ଅଧିକ ଭିସା ବାତିଲ କରାଯାଇଛି। ଆମେରିକୀୟ ଇମିଗ୍ରେସନ୍ ଲୟର୍ସ ଆସୋସିଏସନ୍‌ର ସରକାରୀ ସମ୍ପର୍କ ବିଭାଗର ବରିଷ୍ଠ ନିର୍ଦେଶକ ଶେଭ ଦଲାଲ-ଧେନି କହିଛନ୍ତି, ଆମେ ଏବେ ବି କ’ଣ ଘଟୁଛି ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛୁ। ସବୁଠାରୁ ହାଇପ୍ରୋଫାଇଲ୍ ମାମଲା ମଧ୍ୟରୁ ଜଣେ ହେଉଛନ୍ତି ଟଫ୍ଟସ୍ ବିଶ୍ୱବିଦ୍ୟାଳୟର ତୁର୍କୀର ପିଏଚ୍‌ଡି ଛାତ୍ରୀ ରୁମେସା ଓଜତୁର୍କ, ଯାହାଙ୍କୁ ଗତ ମାସରେ ରାସ୍ତାରେ ଚାଲିବା ସମୟରେ ଫେଡେରାଲ ଏଜେଣ୍ଟମାନେ ଅଟକ ରଖିଥିଲେ। ଅନ୍ୟ ଜଣଙ୍କ ମଧ୍ୟରେ କଲମ୍ବିଆ ବିଶ୍ୱବିଦ୍ୟାଳୟ ସ୍ନାତକ ମହମ୍ମଦ ଖଲିଲ ମଧ୍ୟ ସାମିଲ ଅଛନ୍ତି, ଯାହାଙ୍କ ଭିସା ପାଲେଷ୍ଟାଇନ ସମର୍ଥକ ବିକ୍ଷୋଭରେ ଅଂଶଗ୍ରହଣ କରିବା ପରେ ବାତିଲ କରାଯାଇଥିଲା। ଉଭୟ ଓଜତୁର୍କ ଓ ଖଲିଲଙ୍କୁ ବର୍ତ୍ତମାନ ଇମିଗ୍ରେସନ ଜେଲ୍‌ରେ ରଖାଯାଇଥିବା ବେଳେ ସରକାର ସେମାନଙ୍କୁ ଦେଶାନ୍ତର କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ନିକଟରେ କାଲିଫର୍ଣ୍ଣିଆରେ ଡଜନାଧିକ ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରାଯାଇଛି। ୟୁସିଏଲ୍ଏ, ୟୁସି ବର୍କଲେ, ୟୁସି ଡେଭିସ୍, ୟୁସି ସାନ୍ ଡିଏଗୋ, ୟୁସି ସାନ୍ତା କ୍ରୁଜ୍ ଓ ଷ୍ଟାନଫୋର୍ଡ ସମେତ ଏକାଧିକ କଲେଜର ସ୍ନାତକ ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରାଯାଇଛି। ଡ୍ରାଇଭିଂ ନିୟମ ଉଲ୍ଲଂଘନ ଭଳି ସାମାନ୍ୟ କାରଣ ପାଇଁ ଦୁଇ ଜଣ ଅଜ୍ଞାତ ଛାତ୍ର ବିନା ପ୍ରକ୍ରିୟାରେ ଭିସା ବାତିଲ କରାଯାଇଥିବା ଅଭିଯୋଗ କରି ଫେଡେରାଲ କୋର୍ଟରେ ମାମଲା ଦାୟର କରିଛନ୍ତି। ଷ୍ଟାନ୍‌ଫୋର୍ଡ ଶୁକ୍ରବାର ଏକ ବିବୃତିରେ କହିଛି ଯେ ତାଙ୍କର ୬ ଜଣ ଛାତ୍ରଙ୍କ ଛାତ୍ରଭିସା ରଦ୍ଦ ହୋଇଛି। ହାର୍ଭାର୍ଡ ରବିବାର ରିପୋର୍ଟ କରିଛି ଯେ ବର୍ତ୍ତମାନର ୩ ଜଣ ହାର୍ଭାର୍ଡ ଛାତ୍ର ଓ ନିକଟରେ ୨ ଜଣ ଗ୍ରାଜୁଏଟଙ୍କ ଛାତ୍ରଭିସା ବାତିଲ କରାଯାଇଛି। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଡାର୍ଟମାଉଥ କଲେଜ, ମିନେସୋଟା ଷ୍ଟେଟ୍ ୟୁନିଭର୍ସିଟି, ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟି ଓ ଓରେଗାନ୍ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟରେ ଅତିରିକ୍ତ ଛାତ୍ର ଭିସା ବାତିଲ ହୋଇଥିବା ସୂଚନା ମିଳିଛି।