ଭିସା ଅବଧି ବଢାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କଲେ ଜେଏନୟୁରେ ପଢ଼ୁଥିବା ୨୫ ଜଣ ଆଫଗାନ ଛାତ୍ର

ନୂଆଦିଲ୍ଲୀ: ଖୁବ ଶୀଘ୍ର ସରିବାକୁ ଯାଉଛି ଭାରତରେ ପାଠ ପଢ଼ୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଭିସା ଅବଧି | ଆଉ ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏହି ଛାତ୍ରଛାତ୍ରୀମାନେ ଏବେ ଭାରତ ସରକାରଙ୍କ ପାଖରେ ଭିସା ଅବଧି ବଢାଇବା ସହ ଆଉ କିଛି ଦିନ ଭାରତରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି | ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁରେ ପାଠ ପଢ଼ୁଥିବା ୨୫ ଜଣ ଛାତ୍ର ଭାରତ ସରକାରଙ୍କ ନିକଟରେ ଭିସା ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି |

ଏହି ଛାତ୍ରମାନଙ୍କ ଭିସା ଆଗାମୀ ୨ ମାସ ମଧ୍ୟରେ ସମାପ୍ତ ହେବାକୁ ଯାଉଛି | ଆଉ ବର୍ତ୍ତମାନର ଭୟାନକ ସ୍ଥିତିକୁ ଦେଖି ଛାତ୍ରମାନେ ନିଜ ଦେଶକୁ ଫେରିଯିବାକୁ ସୁରକ୍ଷିତ ମଣୁନାହାନ୍ତି | ଆଫଗାନିସ୍ତାନ କାବୁଲର କୁରବାନ ଜେଏନୟୁରେ ମାଷ୍ଟର ଅଫ କମ୍ପ୍ୟୁଟର ଆପ୍ଲିକେସନ ବା ଏମସିଏ କୋର୍ସ କରୁଥିବାବେଳେ ସେ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ସେ ନିଜ ଦେଶକୁ ଫେରିବାକୁ ଚାଁହୁନାହାନ୍ତି | ସେ କହିଛନ୍ତି ଯେ ପରିବାର ଲୋକ କହୁଛନ୍ତି ଯେ ସେଠାରେ ସ୍ଥିତି ଅତି ସଂଗୀନ ଥିବାରୁ ଏବେ ନ ଆସିବା ଉଚିତ |

ବର୍ତ୍ତମାନ ତାଙ୍କ ପରିବାର ସଦସ୍ୟ ତାଲିବାନ ନଜରରେ ଥିବାରୁ କାଳେ ସେଠାକୁ ଗଲେ ତାଙ୍କୁ ହତ୍ୟା କରାଯିବ ସେହି ଆଶଙ୍କାରେ ସେ ଯିବାକୁ ଚାଁହୁନାହାନ୍ତି | କୁରବାନଙ୍କ ଭଳି ଅନ୍ୟ ଛାତ୍ରମାନେ ମଧ୍ୟ ସମାନ କଥା କହିଛନ୍ତି | ଆଜି ଆଫଗାନ ଛାତ୍ରମାନେ ଜେଏନୟୁ କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ବିଦେଶ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିଛନ୍ତି |

ସମ୍ବନ୍ଧିତ ଖବର