ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବା ପରେ ଏବେ ଏଚ୍‌-୧ବି ଭିସାର ବାର୍ଷିକ ଫି ୧ ଲକ୍ଷ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା)କୁ ବଢ଼ାଇ ଦେଇଛନ୍ତି। ଏହାକୁ ସେପ୍ଟେମ୍ବର ୨୧ରୁ କାର୍ଯ୍ୟକାରୀ କରାଯିବ। ‌ଟ୍ରମ୍ପଙ୍କ ଅତର୍କିତ ନିର୍ଦ୍ଦେଶ ପରେ ଆମାଜନ, ମେଟା, ମାଇକ୍ରୋସଫ୍ଟ ଭଳି ଆଇଟି କମ୍ପାନି ସେମାନଙ୍କ କର୍ମଚାରୀମାନଙ୍କୁ ଆମେରିକା ନ ଛାଡ଼ିବା ପାଇଁ, ଯଦି ବିଦେଶରେ ଥାଆନ୍ତି ଦିନକ ଭିତରେ ଆମେରିକାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁଳ୍କ ବୃଦ୍ଧି ପରେ ଟ୍ରମ୍ପଙ୍କ ଏଚ୍‌-୧ବି ଭିସା ଫି ବୃଦ୍ଧି ପଦକ୍ଷେପ ଦ୍ବାରା ଭାରତ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। କାରଣ ଆମେରିକା ୨୦୨୪ରେ ମଞ୍ଜୁର କରିଥିବା ୩,୯୯,୩୯୫ ଏଚ୍‌-୧ବି ଭିସା ମଧ୍ୟରୁ ୭୧% ଭିସା ଭାରତୀୟ ହାତେଇଛନ୍ତି। ତେବେ ବର୍ଦ୍ଧିତ ଫି କେବଳ ନୂଆ ଭିସା ଆବେଦନକାରୀଙ୍କ ପାଇଁ ଲାଗୁ ହେବ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment

ଏଚ୍‌-୧ବି ଭିସାର ଦୁରୁପଯୋଗ କରାଯାଉଥିବା ଅଭିଯୋଗ ଟ୍ରମ୍ପ ଆଣିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରୁଛି। ତେବେ ଟେସ୍‌ଲା ସିଇଓ ତଥା ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ବନ୍ଧୁ ଭାବେ ପରିଚିତ ଏଲନ୍‌ ମସ୍କ ଏଚ୍‌-୧ବି ଭିସାକୁ ଟାର୍ଗେଟ୍‌ କରାଯାଇଥିବାରୁ ଆମେରିକାକୁ ସତର୍କ କରାଇ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି ପ୍ରତିଭା ଆମେରିକାରେ ଆବଶ୍ୟକ ସଂଖ୍ୟାରେ ନାହାନ୍ତି ବୋଲି ମସ୍କ କହିଛନ୍ତି। ଆମେରିକା ପକ୍ଷରୁ ଏଚ୍‌-୧ବି ଭିସା ଫି ବୃଦ୍ଧି ଉପରେ ଭାରତ ଶନିବାର ପ୍ରତିକ୍ରିୟା ପ୍ରକାଶ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି ଏହି ପଦକ୍ଷେପର ମାନବୀୟ ପରିଣାମ ଦେଖାଦେବ।

ପରିବାରଗୁଡ଼ିକ ପ୍ରତି ଅସୁବିଧା ସୃଷ୍ଟି ହେବ। ଆମେରିକା କର୍ତ୍ତୃପକ୍ଷ ଏସବୁର ଉପଯୁକ୍ତ ସମାଧାନ କରିବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଫି ବୃଦ୍ଧି ପଦକ୍ଷେପର ସଂପୂର୍ଣ୍ଣ ପ୍ରଭାବ କେତେ ରହିବ ତାହା ଉପରେ ଅନୁଧ୍ୟାନ କରାଯାଉଛି। ନବସୃଜନ ଏବଂ ସୃଜନଶୀଳତା କ୍ଷେତ୍ରରେ ଭାରତ ଏବଂ ଆମେରିକାର କମ୍ପାନିଗୁଡ଼ିକର ମିଳିତ ଯୋଗଦାନ ରହିଛି। ଆଗକୁ ସର୍ବୋତ୍କୃଷ୍ଟ ପଦକ୍ଷେପ କ’ଣ ନିଆଯାଇ ପାରିବ ସେ ନେଇ ପରାମର୍ଶ କରାଯାଇପାରେ। କୁଶଳୀ ଶ୍ରମିକମାନଙ୍କ ସ୍ଥାନାନ୍ତର କାରଣରୁ ଉଭୟ ଭାରତ ଏବଂ ଆମେରିକାର ପ୍ରଯୁକ୍ତି କ୍ଷେତ୍ର, ଉଦ୍ଭାବନ, ଅର୍ଥନୈତିକ ଅଭିବୃଦ୍ଧି ସମୃଦ୍ଧ ହୋଇଛି। ଉଭୟଙ୍କ ଲାଭକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରକମାନେ ଫି ବୃଦ୍ଧି ପଦକ୍ଷେପର ଆକଳନ କରିବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି। 

ଭିସା ଫି ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଘେରିଛନ୍ତି। ରାହୁଲ ୨୦୧୭ରେ ଏ ନେଇ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍‌କୁ ଉଲ୍ଲେଖ କରିଛନ୍ତି। ଏଚ୍‌-୧ବି ଭିସା ପ୍ରସଙ୍ଗ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉତ୍‌ଥାପିତ କରୁନାହାନ୍ତି। ଏଥିସହିତ ଭାରତରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଅଛନ୍ତି ବୋଲି ରାହୁଲ ପୋଷ୍ଟ୍‌ କରିଛନ୍ତି। ସେହିଭଳି ମୋଦୀଙ୍କ ଉଦ୍ଦେଶ୍ୟରେ କେଜ୍ରିୱାଲ କହିଛନ୍ତି, ଟ୍ରମ୍ପଙ୍କ ପଦକ୍ଷେପ ପରେ ଅତିକମ୍‌ରେ କିଛି କର। ୧୪୦ କୋଟି ଲୋକଙ୍କ ପ୍ରଧାନମନ୍ତ୍ରୀ କାହିଁକି ଏତେ ଅସହାୟ ବୋଲି ସେ ପ୍ରଶ୍ନ କରିଛନ୍ତି।