ନୂଆଦିଲ୍ଲୀ : ଜସବିନ୍ଦର ସିଂହ ଜଣେ ଆମେରିକୀୟ ଭାବେ ବଞ୍ଚିବାକୁ ସ୍ବପ୍ନ ଦେଖୁଥିଲେ। କିନ୍ତୁ ଭାରତୀୟ ହୋଇଥିବାରୁ ଏହି ୨୬ ବର୍ଷୀୟ ଯୁବକ ଏଥି ପାଇଁ ଏକ ବାଟ ବାହାର କଲେ। ସେ ଆମେରିକାରେ ଜଣେ କାଳ୍ପନିକ ଯମଜ ଭ୍ରାତା ସୃଷ୍ଟି କଲେ, ତାଙ୍କୁ ମାରି ତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ ଭିସା ଆବେଦନ କଲେ। ସେ ତାଙ୍କ ‘ଯମଜ’ ଭ୍ରାତାଙ୍କ ପାଇଁ ପ୍ରସ୍ତୁତ କରିଥିବା କାଗଜପତ୍ରକୁ ନିଜ ପାଇଁ ବ୍ୟବହାର କରିବାକୁ ଯୋଜନା କଲେ। ତା’ପରେ ନିଜ ସ୍ବପ୍ନର ଆମେରିକାରେ ବାସ କରିବାକୁ ସ୍ଥିର କଲେ। ତେବେ ତାଙ୍କର ଏକମାତ୍ର ଦୋଷ ହେଲା ଆମେରିକା ଦୂତାବାସର ଯାଞ୍ଚ ବ୍ୟବସ୍ଥାକୁ ଅଣ୍ଡରଏଷ୍ଟିମେଟ୍ (ଅବମୂଲ୍ୟାୟନ) କରିବା।

Advertisment

ଦୂତାବାସ ସିଂହଙ୍କ ଚତୁରତାକୁ ଧରିବା ସହ ଦିଲ୍ଲୀ ପୁଲିସକୁ ତାଙ୍କର ବେଆଇନ ଦରଖାସ୍ତ ଓ ନକଲି ଦଲିଲ ବିଷୟରେ ଖବର ଦେବା ପରେ ଦିଲ୍ଲୀ ପୁଲିସ ସିଂହଙ୍କୁ ଗିରଫ କରିବା ସହ ନକଲି କାଗଜପତ୍ର ପ୍ରସ୍ତୁତିରେ ସାହାଯ୍ୟ କରିଥିବା ତାଙ୍କର ଆମେରିକୀୟ ବନ୍ଧୁ ଏବଂ ପଞ୍ଜାବର ଜ‌ନୈକ ସହଯୋଗୀଙ୍କ ବିଷୟରେ ଖବର ସଂଗ୍ରହ କରୁଛି। ସିଂହ ହେଉଛନ୍ତି ପଞ୍ଜାବ ପଟିଆଲାର ବାସିନ୍ଦା। ସେ ଡିସେମ୍ବର ୬ ତାରିଖରେ ଭିସା ସାକ୍ଷାତ୍‌କାର ଲାଗି ଦିଲ୍ଲୀ-ସ୍ଥିତ ଆମେରିକା ଦୂତାବାସକୁ ଆସିଥିଲେ। ସେ ଦାଖଲ କରିଥିବା କାଗଜପତ୍ର ଅନୁସାରେ ସେ ୨୦୧୭ରୁ ପୁନେଠାରେ କାର୍ଯ୍ୟରତ ଥିବା ଜଣେ କ୍ରାଇମ୍ ବ୍ରାଞ୍ଚ ଅଫିସର। ଲୁହଛଳଛଳ ଆଖିରେ ସେ ଦୂତାବାସ କର୍ମଚାରୀଙ୍କୁ କହିଥିଲେ ଯେ ନ୍ୟୁୟର୍କରେ ବାସ କରୁଥିବା ତାଙ୍କ ଯମଜ ଭ୍ରାତାଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କର ଆଉ କେହି ରକ୍ତସମ୍ପର୍କୀୟ ନାହାନ୍ତି। ତେଣୁ ତାଙ୍କୁ ନ୍ୟୁୟର୍କ ଯାଇ ଭାଇ କୁଲୱିନ୍ଦରଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ପଡ଼ିବ। ଏହା ସପକ୍ଷରେ ପ୍ରମାଣ ଦେବା ପାଇଁ ସେ ନ୍ୟୁୟର୍କର ପ୍ଲିଜାଣ୍ଟଭିଲ-ସ୍ଥିତ ‘ବିଚର ଫ୍ଲକ୍ସ ଫ୍ୟୁନରାଲ ହୋମ୍‌’ର ଏକ ଚିଠି ଦେଖାଇଲେ। ଦୂତାବାସ କର୍ମଚାରୀମାନେ ମୃତ ବୋଲି କହୁଥିବା ଯମଜ ଭାଇ କୁଲୱିନ୍ଦର ସିଂହଙ୍କ ଫଟୋ ଜସବିନ୍ଦରଙ୍କ ଚେହେରା ସହ ଅବିକଳ ମିଶିଯିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।

ଉଚ୍ଚ ତାଲିମପ୍ରାପ୍ତ ଦୂତାବାସ କର୍ମଚାରୀଙ୍କ ଆଗରେ ପଞ୍ଜାବୀ ଯୁବକଙ୍କ ଚାଲାକି ବେଶି ସମୟ ତିଷ୍ଠିଲା ନାହିଁ। ସେମାନେ ଖବର ନେଇ ଜାଣିଗଲେ ସେ କୁଲୱିନ୍ଦର ସିଂହ ନାମରେ ନ୍ୟୁୟର୍କରେ କେହି ନାହାନ୍ତି କିମ୍ବା ଉଲ୍ଲିଖିତ ତାରିଖରେ ସେହି ନାମଧାରୀ କୌଣସି ଲୋକର ମୃତ୍ୟୁ ଘଟିନାହିଁ। ଏହାପରେ ସିଂହ ମାନିଗଲେ ଯେ ସେ ଜାଲ କାଗଜପତ୍ର ପ୍ରସ୍ତୁତ କରିଛନ୍ତି ଏବଂ ସେ ପୁନେ‌ ପୁଲିସରେ ଚାକିରି ବି କରିନାହାନ୍ତି। ଭିସା ପାଇବାରେ ସାହାଯ୍ୟ କରିପାରେ ଭାବି ସେ ନିଜକୁ କ୍ରାଇମ୍ ବ୍ରାଞ୍ଚ ପୁଲିସ ବୋଲି ପରିଚୟ ଦେଇଥିଲେ।