କ୍ବାଲାଲୁମ୍ପୁର : ମାଲେସିଆ ସରକାର ଭାରତୀୟ ଓ ଚୀନ ନାଗରିକମାନଙ୍କୁ ଏକ ମାସ ପାଇଁ ବିନା ଭିସାରେ ଦେଶରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ରବିବାର କହିଛନ୍ତି ଯେ ଡିସେମ୍ବର ପହିଲାରୁ ଭାରତ ଓ ଚୀନର ନାଗରିକଙ୍କୁ ମାଲେସିଆରେ ଭିସା ମୁକ୍ତ ପ୍ରବେଶ ମିଳିବ ।
ପ୍ରଧାନମନ୍ତ୍ରୀ ଅନୱର ରବିବାର ପୁଟ୍ରାଜାୟାରେ ତାଙ୍କ ପିପୁଲ୍ସ ଜଷ୍ଟିସ୍ ପାର୍ଟିର ବାର୍ଷିକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଚୀନ୍ ଏବଂ ଭାରତୀୟ ନାଗରିକମାନେ ବିନା ଭିସାରେ ମାଲେସିଆରେ ୩୦ ଦିନ ରହିପାରିବେ। ମାଲେସିଆ ନିଜର ଅର୍ଥନୈତିକ ସ୍ଥିତିସୁଦୃଢ଼ କରିବା ପାଇଁ ଏପରି କରୁଛି। ବାସ୍ତବରେ ମାଲେସିଆ ସରକାର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏଠାକୁ ଆଣିବାକୁ ଯୋଜନା କରିଛନ୍ତି, ଯାହାଦ୍ୱାରା ଦେଶର ଅର୍ଥନୀତି ସୁଦୃଢ଼ ହେବ। ଚୀନ ମଧ୍ୟ ମାଲେସିଆ ନାଗରିକମାନଙ୍କ ପ୍ରବେଶ ପାଇଁ ଭିସା କୋହଳ ଘୋଷଣା କରିଛି ।
ଏହା ପୂର୍ବରୁ ଶ୍ରୀଲଙ୍କା ଓ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କରିଛନ୍ତି।
ଆଗକୁ ଭିଏତନାମ ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ସୁବିଧା ଘୋଷଣା କରିପାରେ । ଏବେ ଭିଏତନାମରେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ, ଡେନମାର୍କ, ସ୍ୱିଡେନ ଓ ଫିନଲାଣ୍ଡ ଭଳି ଦେଶର ନାଗରିକମାନେ ବିନା ଭିସାରେ ପ୍ରବେଶ କରିପାରିବେ ।