ବିଶ୍ବେଶ୍ୱରଙ୍କ ସମ୍ପତ୍ତି: ଗତବର୍ଷ ଯେତିକି ଥିଲା ସେତିକି

ନୂଆଦିଲ୍ଲୀ : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟମନ୍ତ୍ରୀ‌ ବିଶ୍ବେଶ୍ବର ଟୁଡ଼ୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି। ମାର୍ଚ ୩୧, ୨୦୨୨ ସୁଦ୍ଧା ଶ୍ରୀ ଟୁଡ଼ୁଙ୍କ ନିକଟରେ ସ୍ଥାବର ସମ୍ପତ୍ତି ଭାବେ ଗୋଟିଏ ହିରୋ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌, ସ୍କର୍ପିଓ ଓ ଏଣ୍ଡିଓଭର ଗାଡ଼ି ସହ ୨୦ ଗ୍ରାମର ସୁନା ରହିଛି। ଦୁଇଟି ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ ନେଇ ସେ ଦୁଇଟି ଗାଡ଼ି କିଣିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଅସ୍ଥାବର ସମ୍ପତ୍ତି ଭାବେ ତାଙ୍କ ଘରଥିବା ଜମି ମୂଲ୍ୟ ୩ ଲକ୍ଷ ହୋଇଥିବା ବେଳେ ୫ ଲକ୍ଷ ଟଙ୍କାର ଆଉ ଏକ ଜମି ରହିଛି। ସେ ୩ ଲକ୍ଷ ଟଙ୍କାର ପର୍ସନାଲ ଲୋନ‌୍ ନେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସେ ଗତ ବର୍ଷ ମାର୍ଚ ୩୧, ୨୦୨୧ରେ ମଧ୍ୟ ସମ୍ପତ୍ତି ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେଥିରେ ଥିବା ସମ୍ପତ୍ତି ବିବରଣୀ ଚଳିତ ବର୍ଷର ବିବରଣୀ ସହ ସମାନ ରହିଛି। ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ବଢ଼ି ନାହିଁ କି କମି ନାହିଁ। ଏହା ବାଦ୍‌ ଶ୍ରୀ ଟୁଡ଼ୁଙ୍କ ପତ୍ନୀ ସୁମିତ୍ରାଙ୍କ ପାଖରେ ଶହେ ଗ୍ରାମର ସୁନା ( ମୂଲ୍ୟ ୩ ଲକ୍ଷ ଟଙ୍କା) ଓ ୩୦୦ ଗ୍ରାମ ରୁପା (ମୂଲ୍ୟ ୧୫ ହଜାର ଟଙ୍କା) ରହିଛି। ଏହା ବାଦ୍‌ ତାଙ୍କ ପତ୍ନୀଙ୍କ ୩୦ ଲକ୍ଷ ଟଙ୍କାର ଏକ ଜମି ଥିବା ଶ୍ରୀ ଟୁଡ଼ୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର