ରାୟପୁର: ବିଷ୍ଣୁ ଦେଓ ସାଏ ବୁଧବାର ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅଜିତ ଯୋଗୀ, ରମଣ ସିଂହ ଓ ଭୂପେଶ ବାଘେଲ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। କାର୍ଯ୍ୟକାଳ ଅନୁଯାୟୀ ସାଏ ଷଷ୍ଠ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Advertisment

ଗତ ଡିସେମ୍ବର ୩ତାରିଖରେ ଘୋଷିତ ନିର୍ବାଚନ ଫଳାଫଳରେ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଥିଲା । ତେବେ ଗତ ୧୦ ତାରିଖରେ ବିଜେପି ବିଷ୍ଣଦେଓଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଧାନୀ ରାୟପୁରସ୍ଥିତ ସାଇନ୍ସ କଲେଜରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଜ୍ୟ ପ୍ରଭାରୀ ଓମ୍ ପ୍ରକାଶ ମାଥୁର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ରାଜ୍ୟ ସହ ପ୍ରଭାରୀ ନୀତିନ ନବୀନ ଉପସ୍ଥିତ ଥିଲେ।

ଶପଥଗ୍ରହଣ ପୂର୍ବରୁ ବିଷ୍ଣଦେଓ  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏ ନେଇ ସେ ଟୁଟି କରିଛନ୍ତି ଯେ  ଛତିଶଗଡ଼ ରାଜ୍ୟର ନିର୍ମାତା, ଆମ ସମସ୍ତଙ୍କ ପ୍ରେରଣାସ୍ରୋତ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।