ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭିସ୍ତାରା ବିମାନ ଇଞ୍ଜିନ୍‌ ହେଲା ଅଚଳ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ବ୍ୟାଙ୍କକ୍‌ରୁ ଆସୁଥିବା ଏକ ଭିସ୍ତାରା ବିମାନର ଇଞ୍ଜିନ୍‌ ଅଚଳ ହୋଇ ପଡ଼ିଥିଲା। କିନ୍ତୁ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ ବୋଲି ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ କହିଛି।

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ଭିସ୍ତାରା ବିମାନ ଅବତରଣ କରିବା ପରେ ବିମାନଟିର ଗୋଟିଏ ଇଞ୍ଜିନରେ ‘ସାମାନ୍ୟ’ ବୈଦ୍ୟୁତିକ ତ୍ରୁଟି ସୃଷ୍ଟି ହୋଇଥିଲା ବୋଲି ଭିସ୍ତାରା ଏୟାରଲାଇନ୍‌ସ କହିଛି।
ଏହି ଘଟଣା ଜଣାପଡ଼ିବା ପରେ ରନୱେକୁ ଖାଲି କରାଯାଇ ବିମାନଇକୁ ଅବତରଣ କରାଯାଇଥିଲା। କାରଣ, ବିମାନର ୨ ନମ୍ବର ଇଞ୍ଜିନ ବନ୍ଦ ହୋଇଯାଇଥିଲା। ତେଣୁ, ପାଇଲଟମାନେ ବିମାନର ୧ ନମ୍ବର ଇଞ୍ଜିନକୁ ବ୍ୟବହାର କରି ବିମାନଟିକୁ ସିଙ୍ଗଲ ଇଞ୍ଜିନ ଟ୍ୟାକ୍ସି କରିବାକୁ ଚାହୁଁଥିଲେ ବୋଲି ଡିଜିସିଏ ଅଧିକାରୀମାନେ କହିଛନ୍ତି। ତେବେ ଟ୍ୟାକ୍ସି ୱେ ଶେଷରେ ଇଞ୍ଜିନ ନମ୍ବର ୧ ଅଚଳ ହୋଇଯିବାରୁ ବିମାନକୁ ପାର୍କିଂ ବେକୁ ନେବା ପାଇଁ ଏକ ଟୋ ଟ୍ରକ୍‌ ଅଣାଯାଇଥିଲା ବୋଲି ସେମାନେ କହିଛନ୍ତି। ତେବେ, ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ ବୋଲି ସେମାନେ କହିଛନ୍ତି।

ଏକ ବିବୃତ୍ତିରେ ଭିସ୍ତାରା ମୁଖପାତ୍ର କହିଛନ୍ତି: ’ଦିଲ୍ଲୀରେ ଅବତରଣ କରିବା ପରେ ପାର୍କିଂ ବେକୁ ନେବା ସମୟରେ ଆମର ବିମାନ ୟୁକେ୧୨୨ (ବିକେକେ-ଡିଇଏଲ)ରେ ସାମାନ୍ୟ ବୈଦ୍ୟୁତିକ ତ୍ରୁଟି ଦେଖା ଦେଇଥିଲା। ଯାତ୍ରୀଙ୍କ ସୁରକ୍ଷା ଏବଂ ଆରାମକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ବିମାନକୁ ଏକ ଟୋ ଟ୍ରକ୍‌ ସାହାଯ୍ୟରେ ପାର୍କିଂକୁ ନେଇଥିଲେ।’

ସମ୍ବନ୍ଧିତ ଖବର