ମୁମ୍ବାଇ: ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ରେ ଜଣେ ବ୍ୟକ୍ତିଙ୍କ ଅସଦାଚରଣରେ ସରବ୍ୟ ହେବା ପରେ ଜଣେ ୧୫ ବର୍ଷୀୟ ଦୃଷ୍ଟିହୀନା ବାଳିକା ଉକ୍ତ ଅସଦାଚରଣକାରୀଙ୍କୁ ଗିରଫ କରାଇଛନ୍ତି। କିନ୍ତୁ, ଘଟନାଟି ମାମୁଲି ଗିରଫଦାରି ନ ଥିଲା। ଆତ୍ମରକ୍ଷା ନିମନ୍ତେ କରାଟେ ଆଦି ତାଲିମ ପାଇଥିବା ଉକ୍ତ ନାବାଳିକା ତାଙ୍କ ପ୍ରତି ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ହାତ ଧରି ଏମିତି ମୋଡ଼ି ଦେଇଥିଲେ ଯେ ସେ ଯନ୍ତ୍ରଣାରେ କାତର ହୋଇ ତଳେ ଆଣ୍ଠେଇ ପଡ଼ିଥିଲେ।
ଅସଦାଚରଣକାରୀଙ୍କୁ ଗିରଫ କରିଥିବା ଦାଦର ଜିଆର୍ପି କହନ୍ତି, ସୋମବାର ଦିନ ଝିଅଟି ତା’ ବାପା ସହ ଘରକୁ ଯାଉଥିଲା। ଦାଦରରୁ କଲ୍ୟାଣ ଅଭିମୁଖେ ସେମାନେ ରାତି ୮:୧୫ରେ ଫାଷ୍ଟ୍ ଟ୍ରେନ୍ ଧରିଥିଲେ। ଝିଅ ଓ ତା’ର ୫୬ ବର୍ଷିୟ ବାପା ଦିବ୍ୟାଙ୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ବଗିରେ ଚଢ଼ିଥିଲେ। ଅଭିଯୁକ୍ତ ୨୪ ବର୍ଷିୟ ବିଶାଳ ବଳିରାମ ସିଂହ ମଧ୍ୟ ସେହି ବଗିରେ ଚଢ଼ିଥିଲେ। ସେ ଠିକ୍ ଝିଅଟିର ପଛପଟେ ଠିଆ ହୋଇ ତାକୁ ସ୍ପର୍ଶ କରିବା ଆରମ୍ଭ କରିଥିଲେ। କିନ୍ତୁ, ଝିଅଟି ଛାନିଆ ହୋଇ ନ ଥିଲା ବୋଲି ଦାଦର ଜିଆର୍ପିର ବରିଷ୍ଠ ପୁଲିସ ଇନ୍ସ୍ପେକ୍ଟର୍ ପ୍ରସାଦ ପନ୍ଧାରେ କହିଛନ୍ତି।
ବରଂ ସେ ବୁଲିପଡ଼ି ଏଡ଼େ ଜୋର୍ରେ ସିଂହଙ୍କ ହାତକୁ ମୋଡ଼ି ପକାଇଲେ ଯେ ସେ ଯନ୍ତ୍ରଣାରେ ଚିତ୍କାର କଲେ। ଫଳରେ ଅନ୍ୟ ଯାତ୍ରୀମାନେ ଜାଗ୍ରତ ହୋଇଗଲେ।
ଝିଅଟି ଏଥର ତା’ ବାପାଙ୍କୁ କହିଲା ଯେ ସେ ଲୋକଟି ତାକୁ ସ୍ପର୍ଶ କରୁଥିଲା। ପରବର୍ତ୍ତୀ ଷ୍ଟେସନ୍ ମତୁଙ୍ଗ ଠାରେ ରେଳ ପହଞ୍ଚିବା ଯାଏଁ ତା’ ଠାରୁ ଖୁବ୍ ଡେଙ୍ଗା ସିଂହଙ୍କୁ ଜୋର୍ରେ ମାଡ଼ିବସି ଥିଲା ଝିଅଟି।
ଝିଅଟିର କୌଶଳ ଏତେ ନିଖୁଣ ଥିଲା ଯେ ଯଦି ଆଉ କିଛି ସମୟ ତା’ ଜାବରେ ରହିଥାଆନ୍ତା ଲୋକଟିର ଆଙ୍ଗୁଠି ସବୁ ଭାଙ୍ଗି ଯାଇଥାଆନ୍ତା। ସେ ଛାନିଆ ହେଲା ନାହିଁ ଓଲଟି ସାହସର ସହ କିହିଲା ସିଂହଙ୍କୁ ଗିରଫ କରିବାକୁ।
ବିନା ଟିକିଟ୍ରେ ଯାତ୍ରା କରୁଥିବା ଗୋଟିଏ ଘରୋଇ ସଂସ୍ଥାନରେ କମ୍ପ୍ୟୁଟର୍ ଦେଖାଶୁଣା କରୁଥିବା ସିଂହଙ୍କୁ ପୁଲିସ ହାଜତକୁ ନେଇଛି।