ପରଦାରେ କଶ୍ମୀରର ପୂରା କାହାଣୀ ଦେଖାଇବେ ବିବେକ ଅଗ୍ନିହୋତ୍ରୀ, ୨୦୨୦ ଅଗଷ୍ଟ ୧୫ରେ ଆସିବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ସିନେମା ମାଧ୍ୟମରେ ସାରା ବିଶ୍ୱ ଦେଖିବ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ସଫଳତାର କାହାଣୀ । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। କଶ୍ମୀର ଘଟଣାକ୍ରମକୁ ନେଇ ଏକ  ହିନ୍ଦୀ ଫିଲ୍ମ ନିର୍ମାଣ କରୁଥିବା କଥା  ଆଜି ଘୋଷଣା କରିଛନ୍ତି  ବଲିଉଡ଼ର ଜଣାଶୁଣା  ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ସେ ଟୁଇଟ୍ କରି ଏହି ଘୋଷଣା କରିବା ସହ ଫିଲ୍ମର ନାମ ‘ଦ କଶ୍ମୀର ଫାଇଲ୍ସ’ ରଖାଯିବା ପ୍ରକାଶ କରିଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିବ ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ।

‘ଦ କଶ୍ମୀର ଫାଇଲ୍ସ’ ସିନେମାରେ  କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବ ଓ ପରର ପୂରା ଘଟଣାକ୍ରମ ଉପସ୍ଥାପିତ କରାଯିବ । କିଭଳି ଧାରା ୩୭୦ ଅଧିନରେ ଦୀର୍ଘ ୭୦ ବର୍ଷ ଧରି  କଶ୍ମୀରବାସୀ କଲବଲ ହେଉଥିଲେ, ତାହାର କାଳ୍ପନିକ ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ । ଚଳିତ ବର୍ଷ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ ପରଦାକୁ ଆସିଥିଲା । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ନିଧନ ପଛରେ ହୋଇଥିବା ଷଡ଼ଯନ୍ତ୍ର ସଂପର୍କରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର