ୱାସିଂଟନ: ଜାନୁଆରି ୧୬ରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବା ପରେ ବିବେକ ରାମାସ୍ୱାମୀ ଏବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନ୍ୟୁ ହାମ୍ପସାୟାରରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଇସ୍ତଫା ଦେବାର କିଛି ସମୟ ପରେ ରାମସ୍ୱାମୀ ଆଇଓୱା କାକସ ଜିତିଥିବା ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ଦୁହେଁ ନ୍ୟୁ ହାମ୍ପସାୟାରର ଆଟକିନସନ ରିସର୍ଟ ଆଣ୍ଡ କଣ୍ଟ୍ରି କ୍ଲବରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି। ନ୍ୟୁ ହାମ୍ପସାୟାର ମଞ୍ଚରେ ରାମାସ୍ୱାମୀଙ୍କୁ ସ୍ୱାଗତ କରି ଟ୍ରମ୍ପ୍‌ କହିଥିଲେ, ବିବେକ ମତେ ଜଣେ ମହାନ ରାଷ୍ଟ୍ରପତି ବୋଲି କହୁଛନ୍ତି, କିନ୍ତୁ ସେ ଜଣେ ଚମତ୍କାର ବ୍ୟକ୍ତି, ବହୁତ ସ୍ମାର୍ଟ ବ୍ୟକ୍ତି। ଆଗକୁ ତାଙ୍କର ଏକ ବଡ଼, ସୁନ୍ଦର, ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଏହାର ଜବାବରେ ରାମାସ୍ବାମୀ କହିଥିଲେ, ଏହି ଦେଶରେ ଅନେକ ଦେଶପ୍ରେମୀ ନାଗରିକ ଅଛନ୍ତି ଏବଂ ଏହି ଦେଶକୁ ଘୃଣା କରୁଥିବା ଏକ ଦୁର୍ବଳ ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟ ଅଛନ୍ତି। ବର୍ତ୍ତମାନ ଆମକୁ ଜଣେ କମାଣ୍ଡର-ଇନ୍-ଚିଫ୍‌ର ଆବଶ୍ୟକତା ଅଛି ଯିଏ ଆମକୁ ଏହି ଯୁଦ୍ଧରେ ବିଜୟୀ କରାଇବ। ସେ ଟ୍ରମ୍ପଙ୍କୁ ଯୁଦ୍ଧର କମାଣ୍ଡର-ଇନ୍-ଚିଫ୍‌ ବୋଲି ଅଭିହିତ କରିଥିଲେ। ବିବେକ ରାମସ୍ୱାମୀ ନିକି ହାଲିଙ୍କୁ ଟାର୍ଗେଟ କରିଥିଲେ, ଯିଏ ରାଷ୍ଟ୍ରପତି ଦୌଡ଼ରେ ଟ୍ରମ୍ପଙ୍କର ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି। ସେ ନିକି ହାଲିଙ୍କ ପରି‌ବର୍ତ୍ତେ ଟ୍ରମ୍ପଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।