“ସକାଳ ପାହିଲା ବେଳକୁ  ବିଶ୍ୱ ମାନଚିତ୍ରରେ ପାକିସ୍ତାନ ବୋଲି ଦେଶ ନଥିବ”  ବାଜେପେୟୀଙ୍କ ଏହି କଥା ଶୁଣି ସ୍ତବଧ ହୋଇଯାଇଥିଲେ କ୍ଲିଣ୍ଟନ

ନୂଆଦିଲ୍ଲୀ :   ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀ ଅସୁସ୍ଥତା କାରଣରୁ  ଆଜି ଏମସରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ହାଲଚାଲ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଦି ଏମସ ପହଞ୍ଚିଛନ୍ତି । ସେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଜର ସମୁଦାୟ ରାଜନୈତିକ ଜୀବନରେ ସମସ୍ତଙ୍କ ପ୍ରିୟ ଥିଲେ ଅଟଳ ଜୀ । ସେଥିପାଇଁ ସେ ଭାରତର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ଗଣା ହେଉଛନ୍ତି । ଅଟଳଜୀ ବିଶାଳ ଓ ଉଦାର ହୃଦୟର ଥିଲେ ମଧ୍ୟ ବେଳେବେଳେ କଠୋରତା ମଧ୍ୟ ପ୍ରଦର୍ଶନ କରୁଥିଲେ । ଏପରି ଏକ ଘଟଣାର ଅବତାରଣା କରୁଛି । ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ । ୧୯୯୯ ମସିହାରେ ନିଜେ ବସ ଚଢି ଲାହୋର ଯାଇଥିଲେ । କିନ୍ତୁ ପାକିସ୍ତାନ ସଂପର୍କ ସୁଧାରିବା ତ ଦୂର କଥା, ପଛରୁ ଛୁରୀ ମାରିଲା । ଲାହୋର ବସ ଯାତ୍ରାର ଜବାବ କାରଗିଲ ଆକ୍ରମଣ ମାଧ୍ୟମରେ ଦେଲା । ଯୁଦ୍ଧର ଘନଘଟା ମଧ୍ୟରେ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ  ଅଟଳଜୀଙ୍କ ଫୋନ କରି ଯୁଦ୍ଧ ବନ୍ଦ କରିବାକୁ ଚାପ ପ୍ରୟୋଗ କଲେ । କହିଲେ ଯେ ପାକିସ୍ତାନ ଏକ ଅଣୁ ଅସ୍ତ୍ର ସଂପନ୍ନ ଦେଶ । ତାକୁ ଭାରତ କାଶ୍ମୀର ଛାଡିଦେବା ଉଚିତ । ନ ହେଲେ ଭାରତ ଉପରେ ପରମାଣୁ ଆକ୍ରମଣ କରିଦେବ ।

ଏହାର ଜବାବରେ ଅଟଳଜୀ ଏପରି କଥା କହିଲେ ଯେ କ୍ଲିଣ୍ଟନଙ୍କ ମୁହଁରୁ କଥା ବାହାରିଲା ନାହିଁ । ଅଟଳଜୀ କହିଲେ, “ ପାକିସ୍ତାନ ପରମାଣୁ ଆକ୍ରମଣ କଥା ଆମେ ପୂର୍ବରୁ ବିଚାରକୁ ଆଣିଛୁ । ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କଲେ ଭାରତର ୪୦ ପ୍ରତିଶତ ସ୍ଥାନ ନଷ୍ଟ ହୋଇଯିବ । କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ସକାଳ ପାହିଲା ବେଳକୁ ବିଶ୍ୱ ମାନଚିତ୍ରରେ ପାକିସ୍ତାନ ବୋଲି ଗୋଟିଏ ଦେଶ ନଥିବ ।”

ସମ୍ବନ୍ଧିତ ଖବର