ବିଷ ମିଶ୍ରିତ ଚା ପିଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଭ୍ଲାଦିମିର ପୁତିନ୍ଙ୍କ ତୀବ୍ର ସମାଲୋଚକ ଆଲେକ୍ସି ନାଭାଲ୍ନି!
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସମାଲୋଚକ ଆଲେକ୍ସି ନାଭାଲ୍ନି ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇ ଏକ ସାଇବେରୀୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ତାଙ୍କର ମିତ୍ରମାନେ ବିଶ୍ବାସ କରୁଛନ୍ତି ଯେ, ଗୁରୁବାର ଦିନ ବିଷ ମିଶ୍ରିତ ଚା ପାନ କରି ସେ ଅସୁସ୍ଥ ହୋଇ ପଡ଼ିଥିଲେ।
ଯଦି ଏହା ସତ୍ୟ ହୋଇଥିବ ତେବେ କ୍ରେମ୍ଲିନ୍ରୁ ଦୂରେଇ ଯାଇଥିବା ବ୍ୟକ୍ତିବିଶେଷଙ୍କୁ ଦୀର୍ଘ ଦିନରୁ ବିଷ ଦିଆଯିବାରେ ଏହା ହେବ ସଦ୍ୟତମ ଘଟଣା। ନାଭାଲ୍ନି ହେଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏବଂ ତାଙ୍କ ଲେଫ୍ଟନାଣ୍ଟ୍ମାନଙ୍କର ଭୀଷଣ ସମାଲୋଚକ।
ସାଇବେରୀୟ ସହର ତୋମସ୍କସ୍ଥିତ ଏକ ବିମାନ ବନ୍ଦର କାଫେରେ ଗୁରୁବାର ସକାଳେ ଚା ପିଇବା ପରେ ସେ ବିମାନ ମଧ୍ୟରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କର ଅବସ୍ଥା ଏତେ ସଙ୍କଟାପନ୍ନ ହୋଇ ପଡ଼ିଲା ଯେ, ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ବିମାନଟି ଓମ୍ସ୍କ୍ ସହରରେ ଜରୁରୀ ଅବତରଣ କରିଥିଲା। ସେଠାରୁ ତାଙ୍କୁ ଏକ ଷ୍ଟ୍ରେଚର୍ ଯୋଗେ ବୋହି ନିଆଯାଇଥିଲା।

ତାଙ୍କ ମୁଖପାତ୍ର କିରା ୟାର୍ମିସ୍ କହିଛନ୍ତି, ସାଙ୍ଘାତିକ ଅବସ୍ଥାରେ ସେ ‘ଆଇସିୟୁ’ରେ ଆର୍ଟିଫିସିଆଲ୍ ଲଙ୍ଗ୍ ଭେଣ୍ଟିଲେଟର୍ରେ ଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଆମର ମନେହୁଏ, ଚା’ରେ କିଛି ମିଶାଯାଇ ତାଙ୍କୁ ଦିଆଯାଇଛି। ସକାଳେ ସେ କେବଳ ଚା ହିଁ ପିଇଥିଲେ। ଏବେ ଆଲେକ୍ସି ଅଚେତ ଅଛନ୍ତି।
କ୍ରେମ୍ଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ୍ କହିଛନ୍ତି ଯେ, ଯେକୌଣସି ବିଷକ୍ରିୟା ଲାବ୍ରଟରି ପରୀକ୍ଷା ଦ୍ବାରା ସାବ୍ୟସ୍ଥ ହେବା ଆବଶ୍ୟକ। ନାଭାଲ୍ନିଙ୍କ ଆରୋଗ୍ୟ ପାଇଁ ଡାକ୍ତରମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି।
ସେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।