ପୁଣି ଥରେ ବାହା ହେବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌

ମସ୍କୋ: ଗୁରୁବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି ଯେ ସମ୍ଭବତଃ ସେ ପୁଣି ଥରେ ବାହା ହୋଇ ପାରନ୍ତି। କିନ୍ତୁ ସେ କାହାକୁ ବାହା ହେବେ ତାହା କହି ନାହାନ୍ତି।

ନିଜର ବ୍ୟକ୍ତିଗତ ତଥ୍ୟ ଏବଂ ନିଜ ପରିବାର ସମ୍ଭନ୍ଧରେ କିଛି ପ୍ରକାଶ କରୁ ନ ଥିବା ୬୬ ବର୍ଷିୟ ପୁଟିନ୍‌ ତାଙ୍କର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ପୋଷ୍ଟ୍‍ କରିଥିବା ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଏମିତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ ଆନ୍ତର୍ଜାତିକ ସମ୍ପର୍କ ଏବଂ ଦେଶର ଅର୍ଥନୀତି ଉପରେ ଆଲୋକପାତ କରାଯାଇଥାଏ।

ସ୍ମିତ ହସି ପୁଟିନ୍‌ କହିଲେ: ଜଣେ ସମ୍ମାନଜନକ ବ୍ୟକ୍ତି ଭାବେ କୌଣସି ସମୟରେ ମତେ ବାହା ହେବାକୁ ପଡ଼ିବ।

୧୯୮୩ ମସିହାରେ ପୁଟିନ୍‌ ଲ୍ୟୁଡ୍‌ମିଲାଙ୍କୁ ବିବାହ କରିଥିଲେ ଏବଂ ୨୦୧୩ରେ ସେମାନଙ୍କର ମଧ୍ୟରେ ଛଡ଼ପତ୍ର ଦିଆନିଆ ହୋଇଥିଲା।

୩୦ ବର୍ଷ ଟପିଥିବା ସେମାନଙ୍କର ଦୁଇ ଝିଅ କ୍ୟାଟେରିନା ଏବଂ ମାରିଆ ରାଜନୀତିରେ ସମ୍ପୃକ୍ତ ନ ହେବା ସହ ଚର୍ଚ୍ଚାରୁ ଦୂରେଇ ରହୁଛନ୍ତି।

ପତ୍ନୀ ଲ୍ୟୁଡ୍‌ମିଲା ଛାଡ଼ପତ୍ର ଦେବା ପରେ ପୁଟିନ୍‌ଙ୍କ ବ୍ୟକ୍ତିଗତ ଜୀବନ ସଂକ୍ରାନ୍ତରେ ବିଭିନ୍ନ ଗୁଜବ ଶୁଣା ଯାଉଛି। ପୂର୍ବତନ ଅଲିମ୍ପିକ୍‌ ଜିମ୍‌ନାଷ୍ଟ୍‌ ଆଲିନା କାବେଭାଙ୍କ ସହ ସମ୍ପର୍କ ରହିଛି ବୋଲି ଏକ ରୁଷୀୟ ଖବରକାଗଜ ପ୍ରକାଶ କରିଥିଲେ ବି ପୁଟିନ୍‌ ଏହାକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର