ନୂଆଦିଲ୍ଲୀ: ମଫସଲ ଅଞ୍ଚଳରେ ଥିବା ଗୋଟାଏ ବିସ୍ତୃତ ଇଷ୍ଟେଟ୍‌ ବା ଫାର୍ମ ହାଉସ୍‌ରେ ନିର୍ମିତ ପ୍ରକାଣ୍ଡ ଅଟ୍ଟାଳିକାରେ ରୁ‌ଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କ ପ୍ରେମିକା ଓ ପିଲାମାନଙ୍କ ସହିତ ଗୁପ୍ତରେ ବସବାସ କରୁଛନ୍ତି ବୋଲି ‘ଦି ପ୍ରୋଜେକ୍ଟ୍‌’ ନାମକ ରୁଷୀୟ ‘ଇନ୍‌ଭେଷ୍ଟିଗେଟିଭ୍‌ ନିଉଜ୍‌ ସାଇଟ୍‌’ ରିପୋର୍ଟ କରିଛି।

Advertisment

ଏହି ଇଷ୍ଟେଟ୍‌ରେ ରହିଛି ସେମାନଙ୍କ ପିଲାମାନଙ୍କ ନିମନ୍ତେ ଖେଳପଡ଼ିଆ ଓ କେତେଗୁଡ଼ିଏ ପ୍ରାସାଦତୁଲ୍ୟ ଅଟ୍ଟାଳିକା। ତାଙ୍କର ପ୍ରେମିକା ବୋଲି କୁହାଯାଉଥିବା ମହିଳାଜଣକ ହେଉଛନ୍ତି ୩୯ ବର୍ଷୀୟ ‘ଅଲିମ୍ପିକ୍ ରିଦିମିକ୍‌ ଚାମ୍ପିଅନ୍‌’ ଆଲିନା କାବେଏଭା।

ଏହି ଇଷ୍ଟେଟ୍‌ ମସ୍କୋର ଉତ୍ତରପଶ୍ଚିମ ପ୍ରାନ୍ତରେ ଥିବା ଭାଲ୍‌ଦାଇ ଦ୍ରଦ ତୀରରେ ଅବସ୍ଥିତ। ସାଇପ୍ରସ୍‌ରେ ଥିବା ‘ସ୍ଲସ୍‌ ଫଣ୍ଡ୍‌’ (ରାଜନୈତିକ ଉତ୍କୋଚ ଅର୍ଥ) ଜରିଆରେ ୧୨୦ ନିୟୁତ ଡଲାର୍‌ ଦେଇ ଏହି ସମ୍ପତ୍ତିକୁ ପୁଟିନ୍‌ ଖରିଦ କରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

publive-image Image Courtesy of The Scottish Sun

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଜମିରେ ୨୦୨୦ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨ ବର୍ଷରେ ଶେଷ ହୋଇଥିଲା। ନିର୍ମିତ ପ୍ରାସଦର ଆକାର ୧୩,୦୦୦ ବର୍ଗଫୁଟ୍‌ ହେବ। କେବଳ କାଠରେ ଏହି ପ୍ରାସାଦଟିକୁ ରୁଷୀୟ ‘ଡାଚା’ ଶୈଳୀରେ ନିର୍ମାଣ କରାଯାଇଛି।

ଏହି ଅଟ୍ଟାଳିକା ପରିସରରେ କେତେକ ପିଲା ଓ କାବେଏଭାଙ୍କର ଅଳ୍ପ କେତେଜଣ ମହିଳା ଆତ୍ମୀୟଙ୍କୁ ଦେଖିଥିବା କଥା ନାମ ଗୁପ୍ତ ରଖି କେତେକ ସରକାରୀ ଅଧିକାରୀ କହିଛନ୍ତି। ଉକ୍ତ ସାଇଟ୍‌ ସେୟାର୍‌ କରିଥିବା କେତେକ ଫଟୋରେ ଦେଖାଯାଉଛି, ଗୋଟାଏ କାଚ ଟେବୁଲ୍‌ ଚାରିପଟେ ସୁନା ଚେୟାର୍‌ ସଜାଯାଇଛି। ପୁଟିନ୍‌ଙ୍କ ଶୟନ କକ୍ଷର ସିଲିଙ୍ଗ୍‌ରେ ଝୁଲୁଛି ସୁନାର ପତ୍ର ଖଞ୍ଜାଯାଇଥିବା ଗୋଟାଏ ବର୍ତ୍ତୁଳାକାର ଝାଡ଼ (ଅନେକଗୁଡ଼ିଏ ଦୀପ, ମହମବତି ବା ବଲ୍‌ ଲାଗିବା ଭଳି ଷ୍ଟାଣ୍ଡ୍‌)।

୨୦୨୧ରେ ପ୍ରଥମେ ଏହି ଭିଲ୍ଲା ବିଷୟରେ ରିପୋର୍ଟ କରିଥିଲେ ସମ୍ପ୍ରତି ଜେଲ୍‌ରେ ଥିବା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଟିମ୍‌। ସେମାନେ କହିଥିଲେ କି, ଏ ଅଟ୍ଟାଳିକା ନିର୍ମାଣରେ ବଜେଟ୍‌ ଅର୍ଥ ବ୍ୟୟ ହୋଇଛି।