ନୂଆଦିଲ୍ଲୀ: ‘ଭୋଡାଫୋନ୍ ଗ୍ରୁପ୍ ପିଏଲ୍ସି’ ଭାରତ ସରକାରଙ୍କ ବିପକ୍ଷରେ ୨୦, ୦୦୦ କୋଟି ଟଙ୍କାର ଏକ ପିଛିଲା ତାରିଖ ଟିକସ ବିବାଦରେ ଇଣ୍ଟର୍ନ୍ୟାସ୍ନାଲ୍ ଆର୍ବିଟ୍ରେସନ୍ (ଆନ୍ତର୍ଜାତିକ ଆପୋସ) ମାମଲା ଜିଣିଛି।
ପ୍ରାପ୍ତ ସୂଚନା ଅନୁସାରେ, ହେଗ୍ସ୍ଥିତ ଏକ ଇଣ୍ଟର୍ନ୍ୟାସ୍ନାଲ୍ ଆର୍ବିଟ୍ରେସନ୍ ଟ୍ରାଇବୁନାଲ୍ ରାୟ ଶୁଣାଇ କହିଛନ୍ତି ଯେ, ଭୋଡାଫୋନ୍ ଉପରେ ଭାରତ ଲାଗୁ କରିଥିବା ଟିକସ ବକେୟା, ସୁଧ ଓ ଜରିମାନା ହେଉଛି ଭାରତ ଓ ନେଦର୍ଲାଣ୍ଡ୍ ମଧ୍ୟରେ ହୋଇଥିବା ବିନିଯୋଗ ରାଜିନାମାର ଉଲ୍ଲଂଘନ।
ରାୟରେ ଟ୍ରାଇବୁନାଲ୍ କହିଛନ୍ତି, ସରକାର ଭୋଡାଫୋନ୍ ଠାରୁ ବକେୟା ଦାବି ନ କରି ବରଂ ଆଇନଗତ ଖର୍ଚ୍ଚର ଆଂଶିକ କ୍ଷତିପୂରଣ ବାବଦକୁ ୫. ୪୭ ନିୟୁତ ଡଲାର୍ ଦେବା ଆବଶ୍ୟକ।
/sambad/media/post_attachments/wp-content/uploads/2020/09/Vodafone-1-1024x683.jpg)
ଏ ସଂକ୍ରାନ୍ତରେ ଭୋଡାଫୋନ୍ କିଂବା ଅର୍ଥ ମନ୍ତ୍ରାଳୟ ଗଣମାଧ୍ୟମରେ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।
୨୦୦୭ରେ ହୁତ୍ଚିସନ୍ ହ୍ବାମ୍ପୋଆ ଠାରୁ ଭୋଡାଫୋନ୍ ଭାରତୀୟ ମୋବାଇଲ୍ ସମ୍ବଳ ଅଧିଗ୍ରହଣ କରିବା ଘଟଣାରୁ ଟିକସ ବିବାଦର ସୂତ୍ରପାତ ହୋଇଥିଲା। ଅଧିଗ୍ରହଣ ନିମନ୍ତେ ଭୋଡାଫୋନ୍ ଟିକସ ଦେବାକୁ ବାଧ୍ୟ ବୋଲି ସରକାର କହିଥିଲେ। ଏହାକୁ ଚାଲେଞ୍ଜ୍ କରି ଭୋଡାଫୋନ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା।
୨୦୧୨ରେ ଭାରତର ସୁପ୍ରିମ୍ କୋର୍ଟ ଭୋଡାଫୋନ୍ ସପକ୍ଷରେ ରାୟ ଶୁଣାଇ ଥିଲେ। କିନ୍ତୁ, ସ୍ବାକ୍ଷରିତ ହୋଇସାରିଥିବା ଟିକସ ରାଜିନାମା ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ସମର୍ଥ ହେବା ନିମନ୍ତେ ପରେ ସେ ବର୍ଷ ସରକାର ନିୟମ ପରିବର୍ତ୍ତନ କରିଥିଲେ।
ଏଥିଲାଗି ଏପ୍ରିଲ୍ ୨୦୧୪ରେ ଭୋଡାଫୋନ୍ ଭାରତ ବିରୁଦ୍ଧରେ ‘ଆର୍ବିଟ୍ରେସନ୍ ପ୍ରୋସିଡିଙ୍ଗ୍’ ଆରମ୍ଭ କରିଥିଲା।